ଲୋକଙ୍କ ଶରୀରରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଛି ଟିକା: ଶିଶୁଙ୍କୁ ନେଇ କିଛି ଏଭଳି କହିଲେ ବିଶେଷଜ୍ଞ

1 min read

ଭୁବନେଶ୍ୱର: ୩ ମାସ ସତର୍କ ରହିଲେ ଆସିବନି ତୃତୀୟ ଲହର । ଲୋକଙ୍କ ଶରୀରରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥିବାରୁ ତୃତୀୟ ଲହର ରାଜ୍ୟରେ ସେତେଟା ପ୍ରଭାବ ପକାଇବ ନାହିଁ । ଏଯାଏଁ ୧କୋଟି ୭୮ଲକ୍ଷ ଲୋକ ଟିକା ନେଇ ସାରିଥିବା ବେଳେ ଆଗକୁ ଗ୍ରାମାଞ୍ଚଳକୁ ଅଧିକ ଫୋକସ କରାଯିବ । ତେବେ ତୃତୀୟ ଲହରରେ ୧୫ ପ୍ରତିଶତ ଶିଶୁ ଆକ୍ରାନ୍ତ ହେବାର ଆଶଙ୍କା ରହିଛି ।

ରାଜ୍ୟରେ ଦିଆଗଲାଣି ୧କୋଟି ୭୮ଲକ୍ଷ ଡୋଜ୍‌ ଟିକା। ୧କୋଟି ୩୭ଲକ୍ଷ ପ୍ରଥମ ଡୋଜ ନେଇଥିବା ବେଳେ ୪୧ ଲକ୍ଷ ଦ୍ୱିତୀୟ ଡୋଜ ନେଇଛନ୍ତି । ସେହିପରି ୫୭ ହଜାର ଗର୍ଭବତୀଙ୍କୁ ଦିଆଯାଇଛି ଭ୍ୟାକସିନ୍‌ । ରାଜ୍ୟରେ ଲୋକଙ୍କ ଶରୀରରେ ୬୫ରୁ ୭୦ ପ୍ରତିଶତ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି । ବୟସ୍କଙ୍କ କ୍ଷେତ୍ରରେ ୮୨ ପ୍ରତିଶତ ଓ ଶିଶୁଙ୍କ କ୍ଷେତ୍ରରେ ୫୪ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି । ଅଧିକାଂଶ ଲୋକଙ୍କ ଶରୀରରେ ହର୍ଡ ଇମ୍ୟୁନିଟି ସୃଷ୍ଟି ହୋଇଥିବାରୁ ରାଜ୍ୟକୁ ତୃତୀୟ ଲହର ଆସିବା ସମ୍ଭାବନା ବହୁତ କମ୍‌ ରହିଛି। ଆଗାମୀ ୩ରୁ ୪ ମାସ ସଚେତନ ରହିଲେ ଆଉ ସଂକ୍ରମଣ ଆସିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

ରାଜ୍ୟରେ ତୃତୀୟ ଲହର ସେତେଟା ପ୍ରଭାବ ପକାଇବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ଆକଳନ କରିଛି। ଯଦି ତୃତୀୟ ଲହର ଆସେ ତେବେ ୧୫ ପ୍ରତିଶତ ଶିଶୁ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଏଥିପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମି, ମାନବ ସମ୍ବଳ ଓ ତାଲିମ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଆଗଧାଡ଼ିର ଯୋଦ୍ଧା ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କୁ ତାଲିମ ଦିଆଯାଇଛି । ଏବେ ୬ଟି ବ୍ୟାଚରେ ଶିଶୁ ଚିକିତ୍ସକଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଏଣିକି ହ୍ୱାଟସ୍‌ଆପ୍ ନମ୍ବର ଜରିଆରେ ଟିକାକରଣ ସାର୍ଟିଫିକେଟ ଡାଉନଲୋଡ କରିହେବ । ଏଥିଲାଗି ସରକାରଙ୍କ ପକ୍ଷରୁ ନମ୍ବର ଜାରି କରାଯାଇଛି। ଜାରି ହୋଇଥିବା ନମ୍ବରଟି ହେଉଛି- ୯୦୧୩୧୫୧୫୧୫ । ସେପଟେ ରାଜ୍ୟରେ ତଳମୁହାଁ କରୋନା। ଦ୍ୱିତୀୟ ଲହରରେ ପ୍ରଥମ ଥର ପାଇଁ ହଜାରେ ତଳକୁ ଖସିଛି ଦୈନିକ ସଂକ୍ରମଣ। ଦିନକରେ ୮୮୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୪ଶହ ୬୩ ।

Leave a Reply