ରାଜ୍ୟରେ କରୋନା ସ୍ଥିତି ଦେଖି କଟକଣା କୋହଳ ପାଇଁ ନିଷ୍ପତ୍ତି ନିଆଯିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: କୋଭିଡ୍ କଟକଣା କୋହଳ ନେଇ ରାଜ୍ୟ ସରକାର ଭାବିଚିନ୍ତି ନିଷ୍ପତ୍ତି ନେବେ । ରାଜ୍ୟରେ କୋଭିଡ୍ ସ୍ଥିତି ଦେଖି କଟକଣା କୋହଳ ଲାଗି କେନ୍ଦ୍ରର ନିର୍ଦ୍ଦେଶ ପରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ନିଜ ରାଜ୍ୟର କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି କିଛି ରାଜ୍ୟ ଅତିରିକ୍ତ କଟକଣା ଲଗାଇଛନ୍ତି । ନିୟମ କୋହଳ କରିବା ଲାଗି କେନ୍ଦ୍ର ସରକାରଙ୍କ ଯେଉଁ ଚିଠି ଆସିଛି, ତା’ ଉପରେ ରାଜ୍ୟ ସରକାର ଭାବିଚିନ୍ତି ନିଷ୍ପତ୍ତି ନେବେ । ୨ରୁ ୩ଟି ସ୍ଥାନରେ ଅଳ୍ପ ଅଧିକ ସଂକ୍ରମଣ ରହିଛି । ବର୍ତ୍ତମାନ ସ୍ଥିତିରେ ଭଲ ସ୍ଥିତିରେ ରହିଛି ଓଡ଼ିଶା । କିଛି ଦିନ ହେଲା ସଂକ୍ରମଣ ହଜାରେ ତଳେ ରହିଛି । ହସ୍ପିଟାଲିଟି ରେଟ୍ ମଧ୍ୟ କମ୍‌ । ଆଗକୁ ସ୍ଥିତି ଆହୁରି ସୁଧୁରିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।

ରାଜ୍ୟରେ ଏକାଧିକ ରୋଗରେ ଆକ୍ରାନ୍ତ ରୋଗୀଙ୍କ କ୍ଷେତ୍ରରେ ଅଧିକ ମୃତ୍ୟୁ ହେଉଛି । ଯାହା ଏବେ ମୋଟ ମୃତ୍ୟୁର ପ୍ରାୟ ୬୦ ଭାଗ । ଏହା ସହ ନିର୍ଦ୍ଦିଷ୍ଟ ସଂଖ୍ୟକ ଲୋକଙ୍କୁ ନେଇ ପଞ୍ଚାୟତ ନିର୍ବାଚନ ପ୍ରଚାର ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯଦି ତାହା ନମାନିବା, ତେବେ ସଂକ୍ରମଣ ପୁଣି ବଢ଼ିବାର ଆଶଙ୍କା ଅଛି ବୋଲି ସ୍ୱାସ୍ଥ୍ୟ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।

Leave a Reply