କଟକରେ ନକଲି ଔଷଧ କାରବାର ଉପରେ ତଦନ୍ତ କରିବ ଔଷଧ ନିଗମ ଓ ପୋଲିସ

ନକଲି ଔଷଧ କାରବାର ଖବର ସାମ୍ନାକୁ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଔଷଧ ନିଗମ ଓ ପୋଲିସ ମିଳିତ ଭାବେ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଔଷଧ କେଉଁଠୁ ଆସି କେଉଁଠିକୁ ଯାଉଥିଲା, ସେନେଇ ତଦନ୍ତ କରାଯିବ । ସେପଟେ ବିକ୍ରି ହୋଇଥିବା ସମସ୍ତ ଔଷଧକୁ ଚିହ୍ନଟ କରି ଫେରାଇବା ଓ ଏ ସମ୍ପର୍କିତ ତଥ୍ୟ ଡ୍ରଗ୍ସ ବିଭାଗକୁ ଜଣାଇବା ପାଇଁ ଔଷଧ ବ୍ୟବସାୟୀଙ୍କୁ ସଂଘ ନିର୍ଦ୍ଦେଶ ଦେଇଛି । ସଂପୃକ୍ତ ବ୍ୟକ୍ତିଙ୍କ ଲାଇସେନ୍ସ ରଦ୍ଦ କରିବା ସହ ଏହାକୁ କଳା ତାଲିକାଭୁକ୍ତ କରିବା ପାଇଁ ସଂଘ ଦାବି କରିଛି । ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସମ୍ପୃକ୍ତ ହୋଲସେଲର ଶିବ ପ୍ରସାଦ ଜେନା, ନକଲି କରୋନା ମେଡ଼ିସିନ କୁହାଯାଉଥିବା ଫାବିମାକ୍ସ ୪୦୦ ଓଡ଼ିଶା ମେଡିସିନ ବଜାରରେ ବିକ୍ରି ହୋଇନାହିଁ । କମ୍ପାନୀ ନକଲି ବୋଲି ମୁଁ ଜାଣିନଥିଲି । ନକଲି ଔଷଧ ସମ୍ପର୍କରେ ଜାଣିବା ପରେ ସମସ୍ତ ମେଡିସିନ ଫେରାଇ ଅଣାଯାଇଛି ବୋଲି ଶିବ ପ୍ରସାଦ ଜେନା କହିଛନ୍ତି । କଟକ କନିକା ଛକରେ ଡ୍ରଗ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ପାଖାପାଖି ୬୯ ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଜବତ କରାଯାଇଥିଲା । ସେପଟେ ସମ୍ବଲପୁରରେ ମଧ୍ୟ ନକଲି କରୋନା ଔଷଧ ଜବତ ହୋଇଛି । ସହରର ଜଗନ୍ନାଥ କଲୋନୀସ୍ଥିତ ମେଡିଲାଇନ ଏଜେନ୍ସିରେ ସମ୍ବଲପୁର ଡ୍ରଗ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ନକଲି କରୋନା ଔଷଧ ଜବତ ହୋଇଛି । ଟ୍ରିଟ – ୨୦୦ ବଟିକା, ଟ୍ରିଟ ବିଏଲ ବଟିକା ଓ ଫେଡର ଏସ୍ ବଟିକା ଜବତ ହୋଇଛି ।

Leave a Reply