ତିନି ଜିଲ୍ଲାକୁ ମାଡିଗଲାଣି ଡିପଥେରିଆ, କାଲିଠୁ ରାୟଗଡାରେ ଦିଆଯିବ ବୁଷ୍ଟରଡୋଜ

1 min read

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣର ରୂପ ନେଲାଣି ଡିପଥେରିଆ । ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶରେ ଡିପଥେରିଆ ପାଇଁ ରାୟଗଡାରେ ବୁଷ୍ଟର ଡୋଜ ଆସନ୍ତାକାଲି ଠାରୁ ଦିଆଯିବ ବୋଲି କହିଛନ୍ତି ପରିବାର କଲ୍ଯାଣ ନିର୍ଦ୍ଦେଶକ ଡାକ୍ତର ସଂଯୁକ୍ତା ମହାପାତ୍ର । କାଶୀପୁରରେ ଏହି ବୁଷ୍ଟର ଡୋଜ ଦିଆଯିବ । ପାଞ୍ଚରୁ ପନ୍ଦର ବୟସର ପିଲାମାନେ TD ଟିକା ନେବେ । ଅନ୍ଯପଟେ ରାୟଗଡ଼ା ପରେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଗଲାଣି ଡିପଥେରିଆ ।

ବର୍ତ୍ତମାନ ସୁଦ୍ଧା ୩ ଜିଲ୍ଲାରେ ୨୧ ଚିହ୍ନଟ ହୋଇଥିବାବେଳେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ଅଛନ୍ତି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ଆକ୍ରାନ୍ତଙ୍କ ମଧ୍ୟରୁ ରାୟଗଡାରୁ ୧୫ ଜଣ ଚିହ୍ନଟ ହୋଇଥିବା ବେଳେ କୋରାପୁଟ ବନ୍ଧୁଗାଁରୁ ଜଣେ, କଳାହାଣ୍ଡି ରୁ ୪-୫ ଜଣ ସନ୍ଦିଗ୍ଧ ଡିପଥେରିଆ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ନମୁନା ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ RMRCକୁ ପଠାଯାଇଛି ।

କୋରାପୁଟ ବନ୍ଧୁଗାଁରୁ ଚିହ୍ନଟ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ତାଙ୍କୁ MKCGକୁ ପଠାଯାଇଛି । ଏକ ସ୍ବତନ୍ତ୍ର ଟିମ ମନିଟର କରୁଛି । କଳାହାଣ୍ଡି ରୋଗୀଙ୍କୁ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ରାୟଗଡ଼ାରେ ମାମଲା ସ୍ଥିର ରହିଛି । ଆଗ୍ରା, ହାଇଦ୍ରାବାଦରୁ ଆଣ୍ଟି-ଡିପଥେରିଆଲ ସିରମ୍ ଅଣାଯାଇ ଆକ୍ରାନ୍ତଙ୍କୁ ଦିଆଯାଉଛି । ସଂକ୍ରମଣର ମୁକାବିଲା ପାଇଁ ୩ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗ ଓ WHO ଟିମ ମିଳିତ ଭାବେ ଗାଁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ଆଣ୍ଟିବାୟୋଟିକ ଦ୍ଵାରା ଏ ସଂକ୍ରମଣ ମୂଳପୋଛ କରାଯାଇପାରିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ତେବେ ଯେହେତୁ ଏହା ବାୟୁ ଦ୍ୱାରା ସଂକ୍ରମିତ ହେଉଛି, ସଂକ୍ରମଣ ରୋକିବାକୁ ପ୍ରଭାବିତ ଅଞ୍ଚଳର ଲୋକମାନେ ମାସ୍କ ପିନ୍ଧିବା ସହ ହାତ ଧୋଇବା ଭଳି ନିୟମ ପାଳନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ସେପଟେ କୋରାପୁଟରେ ଡିପଥେରିଆ ନୁହେଁ ନିମୋନିଆ ରୋଗ ଦେଖାଦେଇଛି ବୋଲି କହିଛନ୍ତି ପରିବାର କଲ୍ଯାଣ ନିର୍ଦ୍ଦେଶକ ଡାକ୍ତର ସଂଯୁକ୍ତା ମହାପାତ୍ର । ଏହି ଅଞ୍ଚଳରେ ମେ ମାସରେ ବ୍ଯାପକ ଟିକାକରଣ କରାଯାଇଛି । TD ଟିକା ଦିଆଯାଇଛି ।

ଟିକାକରଣ ସଫଳ କି ନୁହେଁ ସେ ନେଇ ଯାଞ୍ଚ ଚାଲିଛି ବୋଲି କୋରାପୁଟ ସିଡିଏମଓ କହିଛନ୍ତି । WHO ଓ ICMR-RMRC ଆଣ୍ଟିବଡି ଟେଷ୍ଟିଙ୍ଗ କରିବା ପରେ ଜଣା ପଡିବ ଟିକାକରଣ ସଫଳ ନା ନୁହେଁ । NHFS ତଥ୍ୟ ଅନୁସାରେ, ରାୟଗଡାରେ 92.7%, କୋରାପୁଟରେ 98% ଓ କଳାହାଣ୍ଡିରେ 91.3% ଟିକାକରଣ ହୋଇଛି । ୨୦ ଦିନ ସର୍ଭେଲାନ୍ସ ଚାଲିଛି । ଶିଶୁ ଓ ବୟସ୍କ ସମସ୍ତଙ୍କୁ ଆଣ୍ଟିବିୟୋଟିକ ଦିଆଯାଇଛି । କଳାହାଣ୍ଡିରେ ଜଣେ ମୃତକଙ୍କ ସଂସ୍ପର୍ଶରେ ଆସିଥିବାରୁ କଣ୍ଟାକ୍ଟ ଟ୍ରେସିଂ ହେଉଛି । ଗଜପତି, କନ୍ଧମାଳ, ରାୟଗଡା, ନବରଙ୍ଗପୁର, ମାଲକାନଗିରିରେ ସର୍ଭେଲାନ୍ସ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।