ଖରାଦିନେ ଖାଦ୍ୟରେ ସାମିଲ କରନ୍ତୁ ଏହି ୫ଟି ଫଳ
1 min readଦିନ ଗଡ଼ିବା ସହ ଦିନକୁ ଦିନ ପ୍ରଖର ହେବାରେ ଲାଗିଛି ଖରା । କେତକ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ଡେଇଁଲାଣି । ଏବେ ଗ୍ରୀଷ୍ମର ପ୍ରଭାବ ସାରା ଦେଶରେ ଅନୁଭୂତ ହେଉଛି । ତେବେ ଏହି ସମୟରେ ବିଶେଷ ଭାବେ ଖାଦ୍ୟ ପେୟ ଉପରେ ବିଶେଷ ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ । ଏମିତି କିଛି ଜିନିଷ ଅଛି ଯାହାକୁ ଆପଣ ଖାଇଲେ ଆପଣଙ୍କ ଶରୀର ସୁସ୍ଥ ରହିବା ସହ ବିଭିନ୍ନ କାର୍ଯ୍ୟ କରିବାରେ ତତ୍ପର ହେବେ ।
ଆମ୍ବ: ଖରାଦିନ ଆସିବା ମାତ୍ରେ ଲୋକମାନେ ଆମ୍ବକୁ ପ୍ରଥମ ପସନ୍ଦ କରିଥାନ୍ତି । ତେବେ ଏହି ଆମ୍ବରେ ରହିଥାଏ ପ୍ରଚୁର ପରିମାଣରେ ଭିଟାମିନ ସି । ଆଖି, ଚର୍ମ, କୋଲେଷ୍ଟ୍ରଲ ଏବଂ ହଜମ ଶକ୍ତି ବଢାଇବା ସହ କର୍କଟ ଭଳି ରୋଗ ଇତ୍ୟାଦିରୁ ରକ୍ଷା କରିଥାଏ ହଳଦିଆ ଆମ୍ବ । ତେବେ ଆମ୍ବ ତୁଳନାରେ ବଜାରରେ ମିଳୁଥିବା ଜୁସ ଏତେଟା ଫଳପ୍ରଦ ନୁହେଁ । ଯଦିଓ ଏହା ସ୍ୱାଦରେ ଏକ ନମ୍ବର ଥାଏ କିନ୍ତୁ ଏଥିରେ ଭିଟାମିନ ଭାଗ କମିଯାଇଥାଏ ।
କଦଳୀ: କଦଳୀ ସବୁ ଋତୁରେ ମିଳୁଥିବା ଫଳ ମାନଙ୍କ ଭିତରୁ ଗୋଟିଏ । ଏହି ଫଳରେ ବିଭିନ୍ନ ପ୍ରକାର ଭିଟାମିନ ଯେମିତି ଏ, ବି, ସି, ଇ ଇତ୍ୟାଦି ସହ ପୋଯାସିୟମ ଏବଂ ମ୍ୟାଗ୍ନିସିୟମ ମଧ୍ୟ ଭରପୂର ମାତ୍ରାରେ ରହିଥାଏ । ତେଣୁ କଦଳୀ ଖାଇବା ଦ୍ୱାରା ଏହି ସମସ୍ତ ଭିଟାମିନ ଶରୀରକୁ ଯାଇଥାଏ । ଏହାବ୍ୟତୀତ କଦଳୀରେ ଏମିନୋଏସିଡ ଏବଂ ବି-୬ ମଧ୍ୟ ରହିଥାଏ, ଯାହା ଆଣ୍ଟି ଅକ୍ସିଡାଣ୍ଟ ହୋଇଥାଏ ।
ଅମୃତଭଣ୍ଡା: ଅମୃତ ଭଣ୍ଡା ସବୁ ବେଳ ପାଇଁ ଉପଯୋଗୀ ହୋଇଥାଏ । କିନ୍ତୁ ଖରାଦିନେ ଖାଦ୍ୟରେ ଅମୃତଭଣ୍ଡା ସାମିଲ କରିବା ଶରୀର ପାଇଁ ଅଧିକ ଉପଯୋଗୀ ପ୍ରମାଣିତ ହୋଇଥାଏ । ଏଥିରେ ଭିଟାମିନ ସି ଏବଂ ଭିଟାମିନ ଏ ରହିଥାଏ । ଏହାଦ୍ୱାରା ଆଖି ଏବଂ ଇମ୍ୟୁନିଟି ମଧ୍ୟ ଶକ୍ତିରେ ବୃଦ୍ଧି ହୋଇଥାଏ । ଏଥିରେ ଥିବା ଫାଇବର ପେଟ ଏବଂ ହଜମ ପ୍ରକ୍ରିୟାକୁ ସତେଜ କରେ । ଏହାବ୍ୟତୀତ ଓଜନ କମାଇବା ପାଇଁ ମଧ୍ୟ ଅମୃତଭଣ୍ଡା ଖାଇବା ଲାଭଦାୟକ ଫଳ ହୋଇଥାଏ ।
ସପୁରି : ସପୁରୀ ସବୁବେଳେ ଆଖିପାଇଁ ଭଲ ହୋଇଥାଏ । ଏହି ସମୟରେ ସପୁରୀର ଆମଦାନୀ ଅଧିକ ମାତ୍ରାରେ ହୋଇଥାଏ । ସପୁରୀରେ ଭରପୁର ପରିମାଣରେ ପୋଟାସିୟମ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଏନଜାଇମ୍ ମିଳିଥାଏ । ଏହା ଶରୀରକୁ ଡିଟକ୍ସାଇଫ କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଏହାକୁ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢିଥାଏ ଏବଂ ମୋତିଆବିନ୍ଦୁ ହେବାର ଆଶଙ୍କା କମିଯାଏ।
କମଳା: କମଳାରେ ମଧ୍ୟ ଭିଟାମିନ ସି ’ ଅତ୍ୟଧିକ ପିରମାଣରେ ଥାଏ । ଏବଂ ଏଥିରେ ଥିବା ଫାଇବର ଶରୀରକୁ ସୁସ୍ଥ ରହିବାରେ ସାହାଯ୍ୟ କରିଥାଏ । ଏଥିରେ ଅଧିକ ପରିମାଣରେ କ୍ୟାଲସିୟମ ଥିବା ବେଳେ ଏହା ଆଣ୍ଟି ଅକ୍ସିଡାଣ୍ଟ ହୋଇଥିବାରୁ ଚର୍ମ ଏବଂ ଶରୀରକୁ ସୁସ୍ଥ ରଖିବାରେ ଖୁବ ସହାୟକ ହୋଇଥାଏ । କେବଳ ସେତିକି ନୁହେଁ ଓଜନ କମାଇବା ପାଇଁ ମଧ୍ୟ କମଳାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେବେ ଏହା ଥଣ୍ଡା ଏବଂ କାଶରୁ ମୁକ୍ତି ଦେଇଥାଏ । ତେଣୁ ଗରମ ଦିନରେ କମଳା ଖାଇବା ଆପଣଙ୍କ ପାଇଁ ଅନେକ କ୍ଷେତ୍ରରେ ଲାଭଦାୟକ ହୋଇଥାଏ ।