ଆଉ ଦେଢ଼ ଦିନ ପାଇଁ ରାଜ୍ୟରେ ମହଜୁଦ୍ ରହିଛି କରୋନା ଟିକା: ବିଜୟ ପାଣିଗ୍ରାହୀ

ଭୁବନେଶ୍ୱର: ଗତକାଲି ୫୫୬ କେନ୍ଦ୍ରରେ ୭୧୪୭୧ଜଣଙ୍କୁ ଟିକା ଦିଆଯାଇଛି। ଏ ଯାଏଁ ୪୬ଲକ୍ଷ ୫୬ହଜାର ୪୫୦ ଡୋଜ ଟିକା ଦେଇସାରିଛୁ। ସବୁ ସ୍ଥାନରେ ଟିକାକରଣ ଚାଲିଛି। ଆଜି ପ୍ରାୟ ୧ ହାଜର ଟିକା କେନ୍ଦ୍ରରେ ଟିକାକରଣ ଚାଲିଛି। ଗତକାଲି ୧୦ ଜିଲ୍ଲାରେ ଟିକାକରଣ ବନ୍ଦ ଥିଲା। ଟିକା କମ୍ ଅଛି। ଆଜି ସୁଦ୍ଧା ୨ ଲକ୍ଷ ଡୋଜ କୋଭିସିଲ୍ଡ ଓ କୋଭାକ୍ସିନ୍ ଅଛି। ଏହା ଆଉ ଦେଢ଼ ଦିନ ଯାଏ କାମ କରିବ। ଗତ ୧୨ ତାରିଖରେ ୨ଲକ୍ଷ ୭୧ହଜାର ଟିକା ଆସିଥିଲା। ଏ ଯାଏଁ କେନ୍ଦ୍ର କିଛି ଚିଠି ଦେଇନାହାନ୍ତି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଅପରପକ୍ଷରେ ବଲାଙ୍ଗୀର ଜିଲ୍ଲାରେ କରୋନା ଭୀଷଣ ରୂପ ଧାରଣ କରିବାରେ ଲାଗିଛି । ଗତ କିଛି ଦିନ ହେଲା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଜିଲ୍ଲାରେ କରୋନା ଟିକାଦାନ କେନ୍ଦ୍ର ଗୁଡ଼ିକରେ ତାଲା ଝୁଲୁଛି । ଟିକା ଅଭାବରୁ ଜିଲ୍ଲାର ୫୬ଟି ଟିକାଦାନ କେନ୍ଦ୍ର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଆଜି ଟିକା ନେବା ପାଇଁ ବିଭିନ୍ନ ଟିକା କେନ୍ଦ୍ରକୁ ଆସିଥିବା ଲୋକେ ଗେଟରେ ତାଲା ଝୁଲୁଥିବା ଦେଖି ଅସନ୍ତୋଷ ପ୍ରକାଶ କରି ଫେରି ଯାଇଛନ୍ତି । ତେବେ ପୁଣି କେବେ ଟିକା ଆସିବ ଓ ଲୋକେ ନେବେ ତାହାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଠିକ୍ ଭାବରେ କିଛି ସ୍ପଷ୍ଟ କରିପାରୁନାହିଁ । ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦି ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଟିକା ଉତ୍ସବ ପାଳନ ନେଇ ଘୋଷଣା କରିଥିଲେ । ତେବେ ବଲାଙ୍ଗିରରେ ଟିକା ଅଭାବରୁ ଏହି ଉତ୍ସବରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।

ଏଥିସହିତ ପଢ଼ନ୍ତୁ: ମିଳିଲାନି ଭ୍ୟାକ୍ସିନ୍, ବଲାଙ୍ଗିର ଜିଲ୍ଲାରେ ସମସ୍ତ ୫୬ କେନ୍ଦ୍ରରେ ଟିକାକରଣ ବନ୍ଦ

Leave a Reply