ତଣ୍ଟିଚିପି ମାରି ମୁଣ୍ଡ ଗାଏବ କରିଥିଲେ,ତେବେ କ’ଣ ପାଇଁ ହୋଇଥିଲା ହତ୍ୟା ?

1 min read

ଭୁବନେଶ୍ୱର: କମିଶନରେଟ୍‌ ପୋଲିସକୁ ବଡ଼ ସଫଳତା । ଭୁବନେଶ୍ୱର ଅନ୍ଧାରୁଆରେ ମୁଣ୍ଡ ବିହୀନ ମହିଳାଙ୍କ ମୃତଦେହ ମିଳିବା ଘଟଣାର ଖୁଲାସା କରିଛି ପୋଲିସ । ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମହିଳାଙ୍କ ପରିଚୟ ମଧ୍ୟ ପ୍ରକାଶ କରିଛି । ପୋଲିସର ସୂଚନା ଅନୁଯାୟୀ ଏହି ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ ହେଉଛି ବିବାହ ବିବାଦ । ମହିଳାଙ୍କ ବିବାହ ନେଇ ବିବାଦ ରହିଥିଲା । ସେହି ଆକ୍ରୋଶରେ ତାଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଦ୍ୱୟ ହେଲେ ସଞ୍ଜୟ ଓ ଚନ୍ଦୁ ।

ଭୁବନେଶ୍ୱର ଧିରିକୁଟି ବସ୍ତିରେ ମହିଳା ଜଣକ ସଞ୍ଜୟଙ୍କ ଘରେ ଭଡ଼ା ନେଇ ରହୁଥିଲେ । ମହିଳାଙ୍କ ନାମ ପୁଷ୍ପଲତା ରାଉଳ । ତାଙ୍କର ବୟସ ୨୮ । ସଞ୍ଜୟ ତାଙ୍କୁ ପ୍ରଥମେ ତଣ୍ଟି ଚିପି ହତ୍ୟା କରିଥିଲା । ପରେ ସହଯୋଗୀ ଚନ୍ଦୁ ସହ ମିଶି ମୃତଦେହକୁ ଏକ ବୋଲେରୋ ଗାଡ଼ିରେ ନେଇଯାଇଥିଲା । ଯୋଜନା ମୁତାବକ ମହିଳାଙ୍କ ମୁଣ୍ଡ କାଟିବା ପାଇଁ ସେମାନେ ଗ୍ଲୋବ୍‌ସ ଏବଂ ଛୁରି କିଣିଥିଲେ । ସେଥିରେ ମୁଣ୍ଡ କାଟି ଏକ ଭିନ୍ନ ସ୍ଥାନରେ ଫିଙ୍ଗିଦେଇଥିଲେ । ମୃତଦେହଠାରୁ କଟା ମୁଣ୍ଡ ଦୁଇ କିଲୋମିଟର ଦୂରରେ ପଡ଼ିଥିଲା । ଘଟଣାସ୍ଥଳକୁ ଦୁଇ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏଟ୍ କରିଥିଲା ପୋଲିସ । ପରିଚୟ ଲୁଚାଇବା ପାଇଁ ହତ୍ୟାକାରୀ ମୁଣ୍ଡକୁ ଦୂରରେ ଫିଙ୍ଗିଥିଲେ ।

ଗତ ୯ ତାରିଖ ଅପରାହ୍ନରେ ପୋଲିସକୁ ନିର୍ଦ୍ଧିଷ୍ଟ ତଥ୍ୟ ମିଳିଥିଲା । ଗତ ମାସେ ହେବ ସଞ୍ଜୟଙ୍କ ସହ ପୁଷ୍ପଲତା ଫୁଲେଶ୍ୱରୀ ବସ୍ତିରେ ରହୁଥିଲେ । କିଛି ଦିନ ତଳେ ପ୍ରୀତିରଞ୍ଜନଙ୍କୁ ସେ ବାହା ହୋଇଥିଲେ । ଘରେ ପ୍ରୀତିରଞ୍ଜନଙ୍କୁ ଛାଡ଼ି ସଞ୍ଜୟ ସହ ଆସି ପୁଷ୍ପଲତା ଧିରିକୁଟି ବସ୍ତିରେ ରହୁଥିଲେ । ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ତେବେ ପ୍ରୀତିରଞ୍ଜନଙ୍କୁ ପୁଷ୍ପଲତା ବିବାହ କରିଥିବାରୁ ସଞ୍ଜୟ ତାଙ୍କ ତଣ୍ଟିଚିପି ହତ୍ୟା କରିଥିଲା । ହତ୍ୟାକାଣ୍ଡ ଘଟଣା ପରେ ଉଭୟ ଅଭିଯୁକ୍ତ ଦଶପଲ୍ଲା ଯାଇ ଲୁଚିଥିଲେ । ତେବେ ଗୁରୁବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କଟାମୁଣ୍ଡ ଜବତ କରିଛି ପୋଲିସ । ଭରତପୁର ଜଙ୍ଗଲରୁ ଉକ୍ତ କଟା ମୁଣ୍ଡକୁ ପୋଲିସ ଠାବ କରିଛି ।

ସୂଚନା ଅନୁଯାୟୀ, ଗତ ୪ ତାରିଖ ଦିନ ଭୁବନେଶ୍ୱର ଅନ୍ଧାରୁଆ-ଦାସପୁର ରାସ୍ତା କଡ଼ରୁ ପୁଷ୍ପଲତାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା । ମହିଳାଙ୍କ ପରିଚୟ ଜାଣିବା ପାଇଁ ଭୁବନେଶ୍ୱର ଓ ଆଖପାଖ ଥାନାକୁ ପୋଲିସ ଖବର ଦେଇଥିଲା । ଜଣେ ଆଡିସିନାଲ୍‌ ଏସ୍‌ପି ରାଙ୍କର ଅଫିସରଙ୍କ ତତ୍ତ୍ୱାବଧାନରେ ଏକ ୫ ଜଣିଆ ଟିମ୍‌ ଘଟଣାର ତଦନ୍ତ କରୁଥିବା ବେଳେ ମହିଳାଙ୍କ ପରିଚୟ ଜାଣିବା ପାଇଁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ମଧ୍ୟ ମରାଯାଇଥିଲା । ମହିଳାଙ୍କ ସମ୍ପର୍କରେ ସୂଚନା ଦେଲେ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ପୂର୍ବରୁ ପୋଲିସ ଘୋଷଣା କରିଥିଲା।

Leave a Reply