ଗଣେଶ ମୂର୍ତ୍ତି ବିସର୍ଜନରେ ନାଚୁଥିଲେ, ହୃଦଘାତରେ ଚାଲିଗଲା ଜୀବନ…

1 min read

ନନ୍ଦିଘୋଷ ବ୍ୟୁରୋ:  କର୍ଣ୍ଣାଟକରେ ଗଣେଶ ମୂର୍ତ୍ତି ବିସର୍ଜନ ଅତ୍ୟନ୍ତ ଉତ୍ସାହର ସହିତ ଚାଲିଥିବା ବେଳେ ଘଟିଛି ଦୁଇ- ଦୁଇ ଟି ଅଘଟଣ । କର୍ଣ୍ଣାଟକର ମାଣ୍ଡ୍ୟା ଏବଂ ଚିକବଲ୍ଲାପୁରରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ ନାଚୁଥିବା ସମୟରେ ହୃଦଘାତରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ମାଇସୁରରେ ଗଣେଶ ପୂଜା କରୁଥିବା ସମୟରେ ଟ୍ରାକ୍ଟରରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। 

ମାଣ୍ଡ୍ୟା ଜିଲ୍ଲାର କେଆର ପେଟ ତାଲୁକର ଜୋତ୍ତନପୁରା ଗାଁରେ ଗଣପତି ବିସର୍ଜନ ଶୋଭାଯାତ୍ରା ବାହାର କରାଯାଉଥିଲା। ଶୋଭାଯାତ୍ରା ସମୟରେ ନାଚୁଥିବା ଜଣେ ବ୍ୟକ୍ତି ହୃଦଘାତର ଶିକାର ହୋଇ ମୃତ୍ୟୁବରଣ କରିଥିଲେ। ମୃତକଙ୍କ ନାମ ମଞ୍ଜୁନାଥ।   ଡିଜେର ତାଳେ ତାଳେ ବେଶ ଖୁସିରେ ମଞ୍ଜୁନାଥ ସାଙ୍ଗମାନଙ୍କ ସହିତ ନାଚୁଥିଲେ । ନାଚିବା ସମୟରେ ହଠାତ୍ ତାଙ୍କର ହୃଦଘାତ ହୋଇଥିଲା । ଯାହା ଫଳରେ ମଞ୍ଜୁନାଥଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା। ମଞ୍ଜୁନାଥଙ୍କ ଶେଷ ମୁହୂର୍ତ୍ତର ଫଟୋ ସ୍ଥାନୀୟ ଲୋକଙ୍କ ମୋବାଇଲ୍ ଫୋନ୍‌ରେ କଏଦ ହୋଇଥିଲା। ରବିବାର ରାତିରେ ଚିକ୍କାବଲ୍ଲପୁର ଜିଲ୍ଲାର ଶିଦଲଘଟ୍ଟା ତାଲୁକର ବୋଡାଗୁରୁ ଗାଁରେ ଏପରି ଏକ ସମାନ ଘଟଣା ଘଟିଛି। ଏଠାରେ ମଧ୍ୟ ଗଣେଶ ବିସର୍ଜନ ଶୋଭାଯାତ୍ରା ସମୟରେ  ନାଚୁଥିବା ସମୟରେ ଜଣେ ଚାଷୀଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ଲକ୍ଷ୍ମୀପତି (୪୦) ।  ବିସର୍ଜନ ସମୟରେ ଗାଁ ଲୋକଙ୍କ ସହ  ଲକ୍ଷ୍ମୀପତି ମଧ୍ୟ ନାଚୁଥିଲେ ହେଲେ ହଠାତ୍ ତାଙ୍କର ହୃଦଘାତ ହୋଇଥିଲା ଏବଂ ସେ ବେହୋସ ହୋଇ ପଡ଼ିଥିଲେ ।

ପ୍ରାର୍ଥନା କରିବା ସମୟରେ ଚାଲିଗଲା ଜୀବନ :

ସେହିପରି କର୍ଣ୍ଣାଟକର ଚିକବଲ୍ଲାପୁରରେ ମଧ୍ୟ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।  ମୃତକଙ୍କ ନାମ ହେଉଛି ରାଜୁ (୩୪)। ଗାଁରେ ଗଣେଶ ବିସର୍ଜନ ପାଇଁ ଏକ ଟ୍ରାକ୍ଟର ଶୋଭାଯାତ୍ରା ବାହାର କରାଯାଉଥିଲା। ଏହି ସମୟରେ, ରାଜୁ ତାଙ୍କ ଘର ପାଖରେ ଆସିଥିବା ଭଗବାନ ଗଣେଶଙ୍କୁ ପୂଜା କରିବା ପାଇଁ ଟ୍ରାକ୍ଟରରେ ଚଢ଼ିଥିଲେ। ପୂଜା କରୁଥିବା ସମୟରେ ସେ ହଠାତ୍ ତଳେ ପଡ଼ିଗଲେ। ରାଜୁଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା।