ଇଚ୍ଛାଶକ୍ତି ଆଗରେ ହାରମାନେ ସବୁ ବାଧାବିଘ୍ନ, ୬୪ ବର୍ଷ ବୟସରେ ଡାକ୍ତରୀ ପଢ଼ା ପାଇଁ ଲେଖାଇଲେ ନାଁ

ବରଗଡ଼: ଇଚ୍ଛା ଶକ୍ତି ଆଗରେ ହାରମାନେ ସବୁ ବାଧାବିଘ୍ନ । ମନୋବଳ ସୁଦୃଢ ଥିଲେ ମାନେ ରଖେନି ଆର୍ଥିକ ସମସ୍ୟା କି ବୟସ । ଏହାକୁ ସତ ପ୍ରମାଣିତ କରି ଉଦାହରଣ ସୃଷ୍ଟି କରିଛନ୍ତି ବରଗଡ଼ ଜିଲ୍ଲା ଅତାବିରାର ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଜୟକିଶୋର ପ୍ରଧାନ । ୬୪ ବର୍ଷ ବୟସରେ ସେ ଏମବିବିଏସ୍ ପାଇଁ ନାମ ଲେଖାଇଛନ୍ତି । ଜୟକିଶୋର ଏବେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର । ଗତବର୍ଷ ସେ ନିଟ୍ ପରୀକ୍ଷାରେ ପାସ କରିବା ପରେ ବୁର୍ଲା ଭିମସାରରେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ଭାବେ ନାମ ଲେଖାଇଛନ୍ତି । ପିଲାଟି ଦିନରୁ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ ଯାହା ଏବେ ପୂରଣ ହୋଇଛି ।

ଜୟ କିଶୋର ଯୁକ୍ତ ଦୁଇ ପଢ଼ିଲା ପରେ ଡାକ୍ତରୀ ପାଇଁ ପରୀକ୍ଷା ଦେଇ ବିଫଳ ହୋଇଥିଲେ । ପରେ ବିଏସସି ପାସ କରି ବ୍ୟାଙ୍କରେ ଫିଲଡ ଅଫିସର ଭାବେ କାମ କଲେ । ୨୦୧୬ ମସିହାରେ ଚାକିରିରୁ ଅବସର ନେଇଛନ୍ତି ଜୟ କିଶୋର । ଝିଅ ଜ୍ୟୋତି ପ୍ରଭା ପ୍ରଧାନ ଡାକ୍ତରୀ ବିଡିଏସ ଦ୍ଵିତୀୟ ବର୍ଷରେ ବିଳାସପୁରରେ ପାଠ ପଢ଼ୁଥିବା ବେଲେ ତାଙ୍କ ସ୍ତ୍ରୀ ମଧ୍ୟ ଫର୍ମାସୀରେ ଶିକ୍ଷାଲାଭ କରିଛନ୍ତି ।  ଜୟକିଶୋରଙ୍କ ଏହି ସଫଳତା ଅନେକଙ୍କୁ ପ୍ରେରଣା ଦେଉଥିବା ବେଳେ ବରଗଡ଼ ଜିଲ୍ଳା ତଥା ଅତାବିରା ଅଞ୍ଚଳ ପାଇଁ ଗର୍ବ ପାଲଟିଛନ୍ତି  ।

ଆପଣ ଅନେକ ସଫଳତାର କାହାଣୀ ଖବର ମାଧ୍ୟମରେ ଜାଣିଥିବେ । କିନ୍ତୁ ୬୪ ବର୍ଷୀୟ ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ନିଜ ଦୃଢ ଇଚ୍ଛା ବଳରେ ନିଟ କ୍ଲିଅର କରି ଡାକ୍ତରୀ ପଢିବାର ସୁଯୋଗ ପାଇବା ଏକ ବିରଳ ଉଦାହରଣ ।

Leave a Reply