ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ହୋଇପାରିବନି ରଥଯାତ୍ରା

କଟକ: ରଥାଯାତ୍ରାକୁ ନେଇ ହାଇକୋର୍ଟ ଶୁଣାଇଲେ ଗୁରୁତ୍ୱପୂର୍ଣ୍ଣ ରାୟ। ପୁରୀ ରଥଯାତ୍ରା ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ହୋଇପାରିବନି ରଥଯାତ୍ରା। ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି ହାଇକୋର୍ଟ।
ସୂଚନା ମୁତାବକ, କେନ୍ଦ୍ରାପଡ଼ା ବଳଦେବଜୀଉ ରଥଯାତ୍ରା ପାଇଁ ହୋଇଥିବା ଆବେଦନକୁ ଖାରଜ କରି ହାଇକୋର୍ଟ ଏହି ରାୟ ଦେଇଛନ୍ତି । ସୁପ୍ରିମକୋର୍ଟ ପୁରୀରେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ରଥଯାତ୍ରା ପାଳନ କରିବାକୁ ଅନୁମତି ଦେଇଥିଲେ । ସେହି ଗାଇଡ ଲାଇନ ଅନୁଯାୟୀ ଗତବର୍ଷ ପରି ଏଥର ମଧ୍ୟ ପୁରୀରେ କଟକଣା ଭିତରେ ରଥଯାତ୍ରା ପାଳନ ହେବ।
କିନ୍ତୁ ତାହା ପୂର୍ବରୁ ଆସନ୍ତାକାଲି କୋଭିଡ କଟକଣାରେ ପାଳନ ହେବ ଶ୍ରୀଜିଉଙ୍କ ଦେବସ୍ନାନପୂର୍ଣ୍ଣିମା। ପୂର୍ବବର୍ଷ ପରି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ସ୍ୱତ୍ତ୍ୱଲିପି ଅନୁଯାୟୀ ଆବଶ୍ୟକ ସଂଖ୍ୟକ ସେବାୟତ ନିୟୋଜିତ ହେବେ। ଦେବସ୍ନାନ ପୂର୍ଣ୍ଣିମା ପାଇଁ ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଆଜି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ ବଳବତ୍ତର ଏହା ରହିବ।