ଜ୍ଞାନବାପି ମସଜିଦରେ ଏଏସଆଇ ସର୍ଭେ ଉପରେ ରୋକ୍, ଆଜି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି କୋର୍ଟ

ବାରାଣସୀ: ବାରାଣସୀରେ ଥିବା ଜ୍ଞାନବାପି ମସଜିଦରେ ଏଏସଆଇ କରିବାକୁ ଥିବା ସର୍ଭେ ଉପରେ ଆଜି ଯାଏ ରୋକ । ଆହ୍ଲାବାଦ କୋର୍ଟ ଏହି ପ୍ରସଙ୍ଗରେ ମାରାଥନ ଶୁଣାଣି କରି ରୋକ୍ ଅବଧିକୁ ଆଉ ଗୋଟିଏ ଦିନ ବୃଦ୍ଧି କରିଛନ୍ତି । ସୁପ୍ରିମକୋର୍ଟ ଜୁଲାଇ ୨୬ ସନ୍ଧ୍ୟା ଯାଏ ଏଏସଆଇ ସର୍ଭେ ଉପରେ ରୋକ ଲଗାଇଥିଲେ । ଗତକାଲି ସନ୍ଧ୍ୟାରେ ଅବଧି ଶେଷ ହେଉଥିବା ବେଳେ ଆହ୍ଲାବାଦ କୋର୍ଟ ଏବେ ସମାନ ପଦକ୍ଷେପ ନେଇଛନ୍ତି । ସର୍ଭେ ଉପରେ ସଂପୂର୍ଣ୍ଣ ରୋକ ଲଗାଇବା ପାଇଁ ଏକ କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ବାରାଣସୀର ଜିଲ୍ଲା କୋର୍ଟ ଜ୍ଞାନବାପି ମସଜିଦରେ ବିଜ୍ଞାନଭିତ୍ତିକ ସର୍ଭେ ପାଇଁ ଅନୁମିତି ଦେଇଥିଲେ । ଏହାକୁ କମିଟି ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି ।

ବାରାଣସୀ କୋର୍ଟ ସର୍ଭେ ପାଇଁ ଅନୁମତି ଦେବା ପରେ ସୁପ୍ରିମକୋର୍ଟ ଜୁଲାଇ ୨୪ରେ ୨୬ ତାରିଖ ସନ୍ଧ୍ୟା ୫ଟା ଯାଏ ଏହା ଉପରେ ରୋକ ଲଗାଇଥିଲେ। ଏଥିସହ କମିଟିକୁ ହାଇକୋର୍ଟରେ ଆବେଦନ କରିବାକୁ କହିଥିଲେ । ଏହି ଅନୁସାରେ କମିଟି ଆବେଦନ କରିଥିବା ବେଳେ ହାଇକୋର୍ଟ ଦୁଇ ପକ୍ଷଙ୍କ ଯୁକ୍ତି ଶୁଣିଥିଲେ। ଶେଷରେ ରୋକ ଅବଧିକୁ ଆଜି ଯାଏ ବୃଦ୍ଧି କରିଛନ୍ତି । ଆଜି ମାମଲା ଉପରେ କୋର୍ଟ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି ।