ଯୋଗୀଙ୍କୁ ଝଟକା, ଲଭ୍ ଜିହାଦ ଆଇନ ରାସ୍ତାରେ ହାଇକୋର୍ଟଙ୍କ ବାଧା

ଲକ୍ଷ୍ନୌ: ଲଭ ଜିହାଦକୁ ନେଇ ଆଇନ ଆଣିବାକୁ ସଜବାଜ ହେଉଛନ୍ତି ଉତ୍ତର ପ୍ରେଦଶର ଯୋଗୀ ସରକାର । ତେବେ ଉତ୍ତର ପ୍ରଦେଶ ସରକାରଙ୍କ ଏହି ଉଦ୍ୟମକୁ ଆହ୍ଲାବାଦ ହାଇକୋର୍ଟଙ୍କ ଏକ ଆଦେଶ ଦେଇଛି ଝଟକା । ହାଇକୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ, ଜଣେ ବ୍ୟକ୍ତିଙ୍କର ନିଜ ଜୀବନସାଥୀ ବାଛିବା ଅଧିକାର ରହିଛି । ଏଥିରେ ସରକାର ହସ୍ତକ୍ଷେପ କରି ପାରିବେ ନାହିଁ । ଅଦାଲତ କହିଛନ୍ତି ଯେ, ଆଇନ ଦୁଇ ଜଣ ପ୍ରାପ୍ତବୟସ୍କଙ୍କୁ ଏକାଠି ରହିବା ଅଧିକାର ଦେଇଛି । ତେଣିକି ସେମାନେ ସମାନ କିମ୍ବା ବିପରୀତ ଲିଙ୍ଗି ହୁଅନ୍ତୁ ନା କାହିଁକି ।

କୁଶିନଗରର ସଲାମତ ଅନସାରୀ ଓ ପ୍ରିୟଙ୍କା ଖରବାର ମାମଲାର ଶୁଣାଣି କରି ଅଦାଲତ କହିଛନ୍ତି ଯେ, ଆଇନ ଜଣେ ପ୍ରାପ୍ତବୟସ୍କ ମହିଳା କିମ୍ବା ପୁରୁଷଙ୍କୁ ନିଜ ଜୀବନସାଥୀ ବାଛିବା ଅଧିକାର ଦେଇଛି । ସେମାନଙ୍କ ଶାନ୍ତିପୂର୍ଣ୍ଣ ଜୀବନରେ କୌଣସି ବ୍ୟକ୍ତି କିମ୍ବା ପରିବାର ହସ୍ତକ୍ଷେପ କରିପାରିବେ ନାହିଁ ।

ଅଦାଲତ ଏହା ମଧ୍ୟ କହିଛନ୍ତି ଯେ, ସରକାର ବି ଦୁଇଜଣ ପ୍ରାପ୍ତ ବୟସ୍କଙ୍କ ଜୀବନରେ ହସ୍ତକ୍ଷେପ କି ଆପତ୍ତି କରି ପାରିବେ ନାହିଁ । ସଲାମତ ଓ ପ୍ରିୟଙ୍କା ଅଗଷ୍ଟ ୧୯, ୨୦୧୯ରେ ପରିବାର ଇଛା ବିରୋଧରେ ବିବାହ କରିଥିଲେ । ବିବାହ ପରେ ପ୍ରିୟଙ୍କା ଆଲିୟା ହୋଇଥିଲେ । ଏହାକୁ ନେଇ ପ୍ରିୟଙ୍କାଙ୍କ ମା’ ଥାନାରେ ଏତଲା ଦେଇଥିଲେ । ତାଙ୍କ ଝିଅକୁ ଭୁଲାଇ ତା’ର ଧର୍ମ ପରିବର୍ତ୍ତନ କରାଯାଇଛି ବୋଲି ସେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ସଲାମତଙ୍କ ବିରୋଧରେ ପୋସ୍କୋ ଆଇନ ଅନୁସାରେ ମାମଲା ରୁଜ୍ଜ ହେଉ ବୋଲି ସେ ଅଭିଯୋଗ କରିଥିଲେ । ମାମଲାର ଶୁଣାଣି କରି ହାଇକୋର୍ଟ କହିଥିଲେ ଯେ, ପ୍ରିୟଙ୍କାଙ୍କ ବୟସକୁ ନେଇ କୌଣସି ବିବାଦ ନାହିଁ । ତାଙ୍କ ବୟସ ୨୧ । ତେଣୁ ସେ ନିଜ ସ୍ୱାମୀଙ୍କ ସହ ରହି ପାରିବେ । ଏହା ସହ ଅଦାଲତ କହିଥିଲେ ଯେ, ସେମାନଙ୍କ ନଜରରେ ଅପିଲକାରୀ ହିନ୍ଦୁ କିମ୍ବା ମୁସଲମାନ ନୁହନ୍ତି । ଏହା ସହ ଏତଲା ଖାରଜ କରିବା ପାଇଁ ହାଇକୋର୍ଟ ଆଦେଶ ଦେଇଛନ୍ତି ।

ଆହ୍ଲାବାଦ ହାଇକୋର୍ଟଙ୍କ ଏହି ଆଦେଶକୁ ଯୋଗୀଙ୍କ ପ୍ରସ୍ତାବିତ ଲଭ୍ ଜିହାଦ ଆଇନ ରାସ୍ତାରେ ବଡ ପ୍ରତିବନ୍ଧକ ବୋଲି କୁହାଯାଉଛି ।

Leave a Reply