ବୈକୁଣ୍ଠଧାମ ଆଶ୍ରମ ଭଙ୍ଗା ଉପରେ ହାଇକୋର୍ଟଙ୍କ ରହିତାଦେଶ, କାଲି ଭଙ୍ଗାଯିବନି ଆଶ୍ରମ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଖଣ୍ଡଗିରି ଅଞ୍ଚଳରେ ଥିବା ବିବାଦୀୟ ବୈକୁଣ୍ଠଧାମ ଆଶ୍ରମକୁ ନେଇ ବଡ଼ ଖବର । ଆସନ୍ତାକାଲି ଭଙ୍ଗାଯିବନି ବୈକୁଣ୍ଠଧାମ ଆଶ୍ରମ । ଆଶ୍ରମ ଭଙ୍ଗାଯିବା ଉପରେ ରହିତାଦେଶ ଲଗାଇଲେ ହାଇକୋର୍ଟ । ଆସନ୍ତା ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଆଶ୍ରମ ଭଙ୍ଗାଯିବା ଉପରେ ହାଇକୋର୍ଟ ରହିତାଦେଶ ଲଗାଇଛନ୍ତି ।
ଆସନ୍ତାକାଲି ବୈକୁଣ୍ଠଧାମ ଆଶ୍ରମ ଭଙ୍ଗାଯିବା ନେଇ ବିଡିଏ ପକ୍ଷରୁ ଘୋଷଣା କରାଯାଇଥିଲା । ଡାକବାଜି ଯନ୍ତ୍ର ସାହାଯ୍ୟରେ ଆଶ୍ରମ ଖାଲି କରିବାକୁ ପ୍ରଚାର କରାଯାଇଥିଲା । ଏହାସହ ବିଡିଏ ପକ୍ଷରୁ ଆଶ୍ରମ ଭାଙ୍ଗିବାକୁ ପୋଲିସର ସହାୟତା ମଗାଯାଇଥିଲା ।
ସୂଚନାଯୋଗ୍ୟ, ଜଣେ ପିଲାକୁ କୁନି ସାରଥୀ ଭାବେ ବସାଇ ଆଶ୍ରମରେ ତାଙ୍କୁ କଳକୀ ଅବତାର ବୋଲି ଦର୍ଶାଯାଇଥିଲା । ପିଲାର ଗୋଡ଼ରେ ତୁଳସୀ ଦିଆଯିବା ଫଟୋ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଥିଲା । ଯାହାକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା । ବିଭିନ୍ନ ମହିଳା ସଙ୍ଗଠନ ସହ ସ୍ଥାନୀୟ ଲୋକେ ଏହାକୁ ନେଇ ପ୍ରତିବାଦ କରିବା ସହ ଟ୍ରଷ୍ଟି ଓ କୁନି ସାରଥୀଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ଏହାପରେ କୁନି ସାରଥୀ ସମେତ ତାଙ୍କ ପରିବାର ଓ ଟ୍ରଷ୍ଟି ଫେରାର ହୋଇଯାଇଛନ୍ତି ।
ବିବାଦ ଆରମ୍ଭ ପରେ କୁନି ସାରଥୀ ଓ ଆଶ୍ରମକୁ ନେଇ ନୂଆ ନୂଆ ବିବାଦ ପଦାକୁ ଆସିବାରେ ଲାଗିଛି । କୁନି ସାରଥୀ କେଟିଏମ ବାଇକରେ ବୁଲିବା, ଝିଅଙ୍କୁ ବୁଲାଇବାର ଫଟୋ ବି ଭାଇରାଲ ହୋଇଥିଲା ।
ଏପରିକି ଆଶ୍ରମରୁ ମିଳିଥିବା ଏକ ଡାଏରୀରେ ଭଣ୍ଡ ବାବାର ସକାଳରୁ ରାତି ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ ରହିଛି । ଏଥିରେ ଭଜନ ଲେଖାଯିବା ସହ ସନ୍ତାନ ପ୍ରାପ୍ତି ପାଇଁ ଯଜ୍ଞ କରାଯିବା ନେଇ ମଧ୍ୟ ଉଲ୍ଲେଖ ରହିଛି । ସବୁଠାରୁ ବଡ଼କଥା ହେଲା ଭକ୍ତ ଭାବେ ଆସୁଥିବା ଲୋକଙ୍କୁ କେମିତି ଠକାଯାଉଥିଲା ତାହାର ଗୁମର ରହିଛି ଏହି ଡାଏରୀରେ । ଭଣ୍ଡ ବାବାଙ୍କ ପୂଜା କରିବା ପାଇଁ କେବଳ ୩୫ ହଜାର ଟଙ୍କାର ଫୁଲ ଲାଗୁଥିଲା । ଯାହା ବି କେଉଁ ଫୁଲ, କେତେ ପରିମାଣର ତାହା ଚିଠା ରହିଛି । ଯାହାକୁ ପୂଜା ପାଇଁ ଆସୁଥିବା ଭକ୍ତଙ୍କୁ ଦିଆଯାଇ ଲୁଟାଯାଉଥିଲା ।
ବିବାଦ ଦେଖାଯିବା ପରେ ଆଶ୍ରମଟି ସରକାରୀ ଜାଗାରେ ଅଛି କି ନାହିଁ ଜାଣିବାକୁ ମାପଚୁପ କରାଯାଇଥିଏେ । ବିଡିଏ. ଜିଏ ଓ ତହସିଲ ବିଭାଗର ୮ ଜଣିଆ ଷ୍ଟାଫ ଆଶ୍ରମର ସରଜମିନ ଯାଞ୍ଚ କରିଥିଲେ । ଶେଷରେ ଆଶ୍ରମଟି ସରକାରୀ ଜମିରେ ଥିବା ଜଣାପଡିଥିଲା ।