ନ୍ୟାସନାଲ ହେରାଲ୍ଡ ମାମଲା: ବଢ଼ିବ ସୋନିଆ ଓ ରାହୁଲଙ୍କ ଅଡୁଆ

ନୂଆଦିଲ୍ଲୀ: ଅଡୁଆ ସୂତାରେ ନ୍ୟାସନାଲ ହେରାଲ୍ଡ ମାମଲା । ପଦାକୁ ଆସିଲା ହାଓ୍ବଲା ଲିଙ୍କ୍ । ପୁଣି ବଢ଼ିବ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ଓ ପୁଅ ରାହୁଲ ଗାନ୍ଧିଙ୍କ ଅଡୁଆ । ୟଙ୍ଗ ଇଣ୍ଡିଆ ପରିସରରେ ସର୍ଚ୍ଚ ଅପରେସନ ଜାରି ପରେ କାର୍ଯ୍ୟାନୁଷ୍ଠାନ ନେଇ ପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ନ୍ୟାସନାଲ ହେରାଲ୍ଡ ମାମଲାରେ ତୃତୀୟ ପକ୍ଷ ସହ ହାଓ୍ବଲା କାରବାରର ଟେର୍ ପାଇଛି ଇଡି । ଏପରିକି ମୁମ୍ବାଇ ଓ କୋଲକାତାର ହାଓ୍ବଲା ଦଲାଲଙ୍କ ସହ କାରବାର ହୋଇଥିବା ନେଇ ପ୍ରମାଣ ପାଇଛି ସଂସ୍ଥା । ଆସୋସିଏଟେଡ ଜର୍ଣ୍ଣାଲ ଓ ୟଙ୍ଗ ଇଣ୍ଡିଆନ ମଧ୍ୟରେ ହୋଇଥିବା ସମସ୍ତ ଆର୍ଥିକ କାରବାର ନେଇ ସ୍ବର୍ଗତ ନେତା ମୋତିଲାଲ ଭୋରାଙ୍କୁ ସୋନିଆ ଓ ରାହୁଲ ଦାୟୀ କରିଥିଲେ ବି ତାହାକୁ ଗ୍ରହଣ କରିନି ଇଡି ।

ଇଡିର ଆକ୍ସନକୁ ନେଇ ବର୍ଷିଛନ୍ତି ରାହୁଲ । ଗଣତନ୍ତ୍ରର ସୁରକ୍ଷା ପାଇଁ ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି । ତେଣେ ସଂସଦରେ ବି ଏହି ପ୍ରସଙ୍ଗରେ ହୋଇଛି ହଙ୍ଗାମା । ଏହି ମାମଲାରେ ହେରାଲ୍ଡ ହାଉସରେ ଉପସ୍ଥିତ ରହିବାକୁ ଇଡି ଦେଇଥିବା ସମନ ଅନୁସାରେ ପହଞ୍ଚିଥିଲେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ।

ସେପଟେ ପୁଣି ବଢ଼ିଲା ଶିବସେନା ନେତା ସଞ୍ଜୟ ରାଉତଙ୍କ ଅଡୁଆ । ଆସନ୍ତା ଅଗଷ୍ଟ ୮ ତାରିଖ ଯାଏଁ ଇଡି ହେପାଜତକୁ ଯିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୧ ହଜାର ୩୪ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ସଞ୍ଜୟଙ୍କ ପତ୍ନୀ ବର୍ଷାଙ୍କୁ ସମନ ଜାରି କରିଛି ଇଡି । ଅନ୍ୟତମ ଅଭିଯୁକ୍ତ ମାଧୁରୀ ରାଉତଙ୍କଠାରୁ ସେ ୫୫ ଲକ୍ଷ ପାଇଥିବାରୁ ପଡ଼ିଛନ୍ତି ଇଡି ସ୍କାନରରେ । ଗତ ଜାନୁଆରୀରେ ପିଏମସି ବ୍ୟାଙ୍କ ସ୍କାମ୍ ମାମଲାରେ ବି ବର୍ଷା ହୋଇଥିଲେ ଜେରାର ସମ୍ମୁଖୀନ ।