ଅଗ୍ନିପଥ ଯୋଜନା ନେଇ ସ୍ପଷ୍ଟୀକରଣ ରଖିଲେ ଅଜିତ ଡୋଭାଲ୍, କହିଲେ ସମୟକ୍ରମେ ସେନାରେ ପରିବର୍ତ୍ତନ ଜରୁରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିବାଦୀୟ ଅଗ୍ନିପଥ ଯୋଜନାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଗତ ୮ ବର୍ଷ ମଧ୍ୟରେ ସେନାରେ ଅନେକ ସଂସ୍କାର ଆସିଛି । ଦେଶର ଭବିଷ୍ୟତ ପାଇଁ ଅଗ୍ନିପଥ ଯୋଜନା ଜରୁରୀ ବୋଲି ଅଜିତ ଡୋଭାଲ କହିଛନ୍ତି । ଦେଶ ହିତରେ ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ପରିବର୍ତ୍ତନକୁ ନୂଆ ଅଗ୍ନିପଥ ଯୋଜନା ଦିଗ ଦେଖାଇବ । ସମୟ କ୍ରମେ ସେନାରେ ପରିବର୍ତ୍ତନ ଜରୁରୀ ବୋଲି କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ।

ଏହା ସହ ଦେଶବ୍ୟାପୀ ଚାଲିଥିବା ଆନ୍ଦୋଳନରେ ସେନାରେ ଚାକିରି ଆଶାୟୀ ସାମିଲ ନାହନ୍ତି । ଯୁବପିଢ଼ିଙ୍କୁ ବିଭ୍ରାନ୍ତ କରି ଦେଶରେ ଅସ୍ଥିରତା ସୃଷ୍ଟି କରାଯାଉଛି । ଦେଶରେ ଆଇନ ଶୃଙ୍ଖଳା ନଷ୍ଟ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ନଷ୍ଟ କରିଦିଆଯାଉଛି । ଗଣତନ୍ତ୍ରରେ ବିକ୍ଷୋଭ କରିବାର ଅଧିକାର ରହିଛି ହେଲେ ପୋଡ଼ାଜଳା, ଭଙ୍ଗାରୁଜା କରିବା ଆଦୌ ସମୀଚିନ ନୁହେଁ ବୋଲି କହିଛନ୍ତି ଅଜିତ ଡୋଭାଲ ।