ବାବାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ଧକ୍କାରୁ ଆରମ୍ଭ ହୋଇଥିଲା ଦଳଚକଟା

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶର ହାଥରସ ଫୁଲରଇ ଗାଁରେ ସତସଙ୍ଗ ସମୟରେ ଘଟିଥିବା ଅଘଟଣ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । କେଉଁ କାରଣରୁ ଏତେବଡ଼ ଅଘଟଣ ଘଟିଲା ତାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ତଦନ୍ତ ଆରମ୍ଭ ହୋଇଛି । ଏସଡିଏମ ଏକ ରିପୋର୍ଟ ଡିଏମଙ୍କ ନିକଟରେ ଦାଖଲ କରିଛନ୍ତି । ଯେଉଁଥିରେ ଜଣା ପଡ଼ିଛି କି, ବାବାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ପ୍ରଥମେ ଶ୍ରଦ୍ଧାଳୁଙ୍କୁ ଧକ୍କା ମାରିଥିଲେ । ଏହାପରେ ଏଭଳି ଏକ ବଡ଼ ଅଘଟଣ ଘଟିଛି । ତେବେ ଶ୍ରଦ୍ଧାଳୁମାନେ ବାବାଙ୍କ ପାଖକୁ ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି । ଷ୍ଟାମ୍ପେଡ କାରଣରୁ ୧୨୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ତେବେ କହି ରଖୁଛୁ କି, ୨ ତାରିଖ ମଙ୍ଗଳବାର ୧୨.୩୦ରେ ବାବା ଭୋଲେଙ୍କ ସତସଙ୍ଗ କାର୍ଯ୍ୟକ୍ରମ ରହିଥିଲା । ତାଙ୍କ କାର୍ଯ୍ୟକ୍ରମ ଏକ ଘଣ୍ଟାର ରହିଥିଲା । ୮୦ ହଜାର ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ତେବେ ଅଢ଼େଇ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ପ୍ରଶାସନ ଏବଂ ଆୟୋଜକ ଏହାକୁ କଣ୍ଟ୍ରୋଲ କରିପାରିନଥିଲେ । ତେବେ ବାବା ପ୍ରବଚନ ଦେଇ ଯେତେବେଳେ ୧.୪୦ରେ ଷ୍ଟେଜରୁ ଓହ୍ଲାଇଲେ ଲୋକେ ତାଙ୍କ ପାଖକୁ ଯିବାକୁ ଲାଗିଲେ । ପ୍ରବଳ ଭିଡ଼ ଭିତରେ ଲୋକେ ବାବାଙ୍କ ନିକଟତର ହେଉଥିବାବେଳେ ସୁରକ୍ଷା କର୍ମୀ ଲୋକଙ୍କୁ ଠେଲାପେଲା କରିଥିଲେ । ଏହାପରେ ଦଳ ଚକଟା ଆରମ୍ଭ ହୋଇଥିଲା । ଲୋକେ ବିଲପଟେ ଦୌଡ଼ିବାକୁ ଲାଗିଥିବାବେଳେ କାଦୁଅ ହୋଇଥିବା କାରଣରୁ ଫସି ଯାଇଯାଇଥିଲେ । ତଳେ ପଡ଼ିଥିବା ଲୋକଙ୍କୁ ଦଳିଚକଟି ଚାଲିଯାଇଥିଲେ । ଯେଉଁଥିରେ ମହିଳା ଏବଂ ଶିଶୁମାନେ ବିଶେଷଭାବେ ମୃତ୍ୟୁର ସମ୍ମୁଖୀନ ହୋଇଛନ୍ତି ।