ହାଥରସ୍ ଗଣଦୁଷ୍କର୍ମର ପ୍ରମାଣ ଖୋଜୁଛି ସିବିଆଇ, ବୁଲଗଡିରେ ଡେରା ପକାଇ ବିଭିନ୍ନ ସ୍ଥାନରେ କରୁଛି ଯାଞ୍ଚ

ନୂଆଦିଲ୍ଲୀ: ହାଥରସର ହଟସ୍ପଟରେ ଛାନଭିନ କରୁଛି ସିବିଆଇ । ଦ୍ୱିତୀୟ ଦିନରେ ପୀଡିତାଙ୍କ ପରିବାରକୁ ହୋଇଛି ପଚରାଉଚରା । ବୁଲଗଡିରେ କିଛି ଗ୍ରାମାବାସୀଙ୍କୁ ଡାକି ସେମାନଙ୍କ ବୟାନ ରେକର୍ଡ କରାଯାଇଛି । ସେପଟେ ମାମଲାରେ ସାମ୍ପ୍ରଦାୟିକ ଦଙ୍ଗା ନେଇ ତଦନ୍ତ ଜାରି ରଖିଛି ଇଡି । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ ମଥୁରା ଜେଲରେ ଥିବା ୪ ପିଏଫଆଇ ସଦସ୍ୟଙ୍କୁ ପଚରାଉଚରା କରିଛନ୍ତି । ସେପଟେ ମାମଲାରେ ସୁପ୍ରିମକୋର୍ଟରେ ନିଜର ପକ୍ଷ ରଖିଛନ୍ତି ରାଜ୍ୟ ସରକାର ।

୧୪ ସେପ୍ଟେମ୍ବର ଦିନ କଣ ହୋଇଥିଲା ? ଅଭିଯୁକ୍ତଙ୍କ ସହ ପୀଡିତାଙ୍କ ସମ୍ପର୍କ କଣ ? କେବଳ ବଳାତ୍କାର, ନା ଆଉ କିଛି ରହିଛି ରହସ୍ୟ ? ଉତ୍ତରପ୍ରଦେଶ ହାଥରସର ବୁଲଗଡିରେ ଦୁଇଦିନ ଧରି ଡେରା ପକାଇ ଏହାର ଗୁମର ଖୋଜୁଛି ସିବିଆଇ । କ୍ରାଇମ୍‌ ସିନ୍ ରିକ୍ରିଏଟ୍ କରି ପ୍ରମାଣ ଏକାଠି କରିବାକୁ ଆରମ୍ଭ ହୋଇଛି ଉଦ୍ୟମ । ଦ୍ୱିତୀୟ ଦିନରେ ପୀଡିତାଙ୍କ ଦୁଇ ଭାଇ ଓ ବାପାଙ୍କୁ ଜେରା କରିବା ସହ ଗ୍ରାମର କିଛି ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ଏଥିପାଇଁ ଆହୁରି କିଛିଦିନ ବୁଲଗଡିରେ ସିବିଆଇର ଏହି ୧୫ ଜଣିଆ ଟିମ୍ ରହିବେ ବୋଲି କହିଛନ୍ତି ।

ହାଥରସ ଗଣ ଦୁଷ୍କର୍ମ ପଛରେ ସାମ୍ପ୍ରଦାୟୀକ ଦଙ୍ଗା ପ୍ରସଙ୍ଗ ନେଇ ବି ଚାଲିଛି ଖୋଳତାଡ । ମଥୁରା ଜେଲରେ ଗିରଫ ପିଏଫଆଇର ଗିରଫ ୪ ସଦସ୍ୟଙ୍କୁ ପଚରାଉଚରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କେଉଁ ଉଦ୍ଦେଶ୍ୟରେ ତିଆରି ହୋଇଥିଲା ଓ୍ୱେବସାଇଟ୍ ? କେଉଁ କେଉଁ ସୂତ୍ରରୁ ଫଣ୍ଡ ସଂଗ୍ରହ କରାଯାଇଥିଲା ? ମାମଲାରେ ଦିଲ୍ଲୀ ପିଏଫଆଇ ସେକ୍ରେଟାରୀ ମହମ୍ମଦ ଇଲିଆସ ସହ ତାଙ୍କର କଣ ସଂପର୍କ ? ସେମାନେ ଇଲିଆସ୍ ସହ କିପରି ସମ୍ପର୍କ ରଖିଥିଲେ ? ଏନେଇ ପଚରାଉଚରା କରିଛି ଇଡି ।

ସେପଟେ ସୁପ୍ରିମକୋର୍ଟରେ ମାମଲା ନେଇ ନିଜର ପକ୍ଷ ରଖିଛନ୍ତି ଉତ୍ତରପ୍ରଦେଶ ସରକାର । ପୀଡିତାଙ୍କ ପରିବାରର ସୁରକ୍ଷା ଓ ତଦନ୍ତ ନେଇ ସରକାର କି ପଦକ୍ଷେପ ନେଇଛନ୍ତି ସେସମ୍ପର୍କରେ ତଥ୍ୟ ଦେବାକୁ ସୁପ୍ରିକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ପ୍ରଶାସନ ପକ୍ଷରୁ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟକ୍ତିଗତ ସୁରକ୍ଷା ଦିଆଯାଇଛି । କିନ୍ତୁ ଘଟଣାର ତଦନ୍ତ ସିବିଆଇ ହାତରେ ଥିବାରୁ ତଦନ୍ତ ପ୍ରକ୍ରିୟା ଓ ସମୟ ନେଇ ସିବିଆଇ ହିଁ କହିପାରିବ ବୋଲି କହିଛନ୍ତି ରାଜ୍ୟ ସରକାର ।

Leave a Reply