ହାଥ୍‌ରସ୍ ଗଣଦୁଷ୍କର୍ମ ଘଟଣା: ତନାଘନା ଆରମ୍ଭ କରିଛି CBI, ଆବଶ୍ୟକ ପଡ଼ିଲେ ରି-କ୍ରିଏଟ୍‌ ହେବ କ୍ରାଇମ୍‌ ସିନ୍‌

ଉତ୍ତରପ୍ରଦେଶ: ହାଥ୍‌ରସ୍ ଗଣଦୁଷ୍କର୍ମ ଘଟଣାରେ ତନାଘନା ଆରମ୍ଭ କରିଛି ସିବିଆଇ । ବୁଲଗଡି ଗାଁରେ ପହଞ୍ଚି ଫରେନସିକ ଅଧିକାରୀଙ୍କ ସହ ବିଭିନ୍ନ ସ୍ଥାନରେ ଯାଞ୍ଚ କରିଥିଲେ ୧୫ ଜଣିଆ ଟିମ୍ । ପୀଡ଼ିତାଙ୍କ ଭାଇଙ୍କୁ ନେଇ ଘଟଣାସ୍ଥଳକୁ ଯାଇଥିଲା ସିବିଆଇ ଫରେନସିକ ଟିମ୍ । ମାମଲା ସହ ସଂପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଓ କେସ୍ ଡାଏରୀକୁ ସିବିଆଇ ଅନୁଧ୍ୟାନ କରିଛି ।

ସିବିଆଇ ସହ ଫରେନସିକ ଟିମ୍ ପୀଡିତାଙ୍କ ଶବ ଦାହ ହୋଇଥିବା ସ୍ଥାନରୁ ମାଟି ସଂଗ୍ରହ କରିଛି । ପୀଡିତାଙ୍କ ମାଆ ହସପିଟାଲରୁ ଫେରିବା ପରେ ପୂରା ପରିବାରକୁ କ୍ରାଇମ ସ୍ପଟକୁ ନେଇ ପଚରାଉଚରା ମଧ୍ୟ କରିଥିଲେ ସିବିଆଇ ଅଧିକାରୀ ।

ପୀଡିତାଙ୍କ ୭୨ ଘଣ୍ଟା ଭିତରେ ମେଡିକାଲ ଯାଞ୍ଚ କରାଯାଇ ନଥିଲା । ଦୁଷ୍କର୍ମର ୧୧ ଦିନ ପରେ ନିଆଯାଇଥିଲା ସାମ୍ପୁଲ । ଖାଲି ସେତିକି ନୁହେଁ ଅଭିଯୁକ୍ତଙ୍କୁ କଷ୍ଟଡିରେ ନେବାପରେ ମଧ୍ୟ କରାଯାଇନି ପଚରାଉଚରା । ତଦନ୍ତରେ କୌଣସି ମହିଳା ଅଧିକାରୀ ନାହାନ୍ତି । ଘଟଣାସ୍ଥଳରୁ ପ୍ରମାଣକୁ ଏକାଠି କରାଯାଇ ନାହିଁ । ଯାଞ୍ଚ ସମୟରେ ସିବିଆଇ ହାତରେ ଲାଗିଛି ପୋଲିସ ଓ ପ୍ରଶାସନର ଏହିସବୁ ଅବହେଳାର ତଥ୍ୟ । ତେବେ ଯାଞ୍ଚ ପାଇଁ ଆଗାମୀ କିଛି ସପ୍ତାହରେ ହାଥରସରେ ରହିବେ ସିବିଆଇର ଏହି ୧୫ ଅଧିକାରୀ ।

୧୪ ସେପ୍ଟେମ୍ବର ଦିନ କଣ ହୋଇଥିଲା ? ପୀଡିତା ଓ ଅଭିଯୁକ୍ତଙ୍କ ପରିବାର ମଧ୍ୟରୁ କିଏ ସତ କହୁଛି ? ଘଟଣା ଦିନ ଅଭିଯୁକ୍ତମାନେ କେଉଁଠି ଥିଲେ ? ପୀଡିତାଙ୍କ ଭାଇ ଓ ଅଭିଯୁକ୍ତଙ୍କ ମଧ୍ୟରେ କଣ ସମ୍ପର୍କ ରହିଛି ? ପୀଡିତା ପ୍ରଥମ ବୟାନରେ ଦୁଷ୍କର୍ମ ନେଇ କାହିଁକି କହି ନଥିଲେ ? ପୀଡିତାଙ୍କ ବୟାନ ଓ ମେଡିକାଲ ରିପୋର୍ଟରେ କାହିଁକି ତାଳମେଳ ନାହିଁ ? ଏସବୁକୁ ନେଇ ଖୋଳତାଡ ଆରମ୍ଭ କରିଛି ସିବିଆଇ । ଘଟଣାକୁ ଅନେକ ଦିନ ବିତିଯାଇଥିବାରୁ କ୍ରାଇମ୍‌ ସିନ୍ ରିକ୍ରିଏଟ୍ କରି ପ୍ରମାଣ ଏକାଠି କରିବାକୁ ଆରମ୍ଭ ହୋଇଛି ଉଦ୍ୟମ । ଆବଶ୍ୟକ ହେଲେ ଅଭିଯୁକ୍ତଙ୍କୁ କଷ୍ଟଡିରେ ନେଇ ପଚରାଉଚରା କରିପାରେ ସିବିଆଇ ।

Leave a Reply