ସତସଙ୍ଗ ପାଲଟିଲା ଶ୍ମଶାନ, ଉତ୍ତରପ୍ରଦେଶ ହାଥରସ ରତିଭାନପୁରରେ ମୃତ୍ଯୁର ତାଣ୍ଡବ,ଦଳାଚକଟାରେ ୧୦୦ ପାର କଲା ମୃତ୍ଯୁ ସଂଖ୍ୟା

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶର ହାଥରସ ରତିଭାନପୁରରେ ମୃତ୍ୟୁର ତାଣ୍ଡବ। ସତସଙ୍ଗ ବେଳେ ଦଳାଚକଟା। ମୃତ୍ୟୁ ସଂଖ୍ୟା ୧୦୦ ପାର କରିଥିବା ସୂଚନା । ଆହତ ହୋଇଛନ୍ତି ଶତାଧିକ ଶ୍ରଦ୍ଧାଳୁ। ଏହି ଗଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଘଟଣାସ୍ଥଳକୁ ରାଜ୍ଯର ୨ ଜଣ ବରିଷ୍ଠ ମନ୍ତ୍ରୀ ଯାଇ ସ୍ଥିତି ଅନୁଧ୍ଯାନ କରିଛନ୍ତି। ମୃତକଙ୍କ ମଧ୍ଯରେ ରହିଛନ୍ତି କେତେକ ଶିଶୁ ଓ ମହିଳା। ସ୍ଥାନୀୟ ଜଣେ ଗୁରୁ ଭୋଲେ ବାବା ନାରାୟଣ ସାକର ହରିଙ୍କ ସ୍ମୃତିରେ ଏହି ଉତ୍ସବ ପାଳନ ହେଉଥିବାବେଳେ ଏହି ଅଘଟଣ ଘଟିଥିଲା।  ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ହାଥରସ ଜିଲ୍ଲା ମାଜିଷ୍ଟ୍ରେଟ ଆଶିଷ କୁମାର ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ଯ କରୁଛନ୍ତି। ରତିଭାନପୁର ଅଞ୍ଚଳ ରହିଛି ସିକନ୍ଦ୍ରା ରାଓ ପୋଲିସ ଷ୍ଟେସନ ଅଧୀନରେ। ସେଠାରେ ସ୍ଥିତି ନିୟନ୍ତ୍ରଣ ଲାଗି ପୋଲିସ ସଜାଗ ରହିଛି। ବିଭିନ୍ନ ସରକାରୀ ଓ ଘରୋଇ ହସ୍ପିଟାଲରେ ଆହତମାନଙ୍କୁ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳକୁ ଯାଇଛନ୍ତି ଦୁଇ ମନ୍ତ୍ରୀ ସନ୍ଦୀପ ସିଂ ଓ ଲକ୍ଷ୍ମୀ ନାରାୟଣ ଚୌଧୁରୀ। ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ଯନାଥ ସ୍ଥିତି ସମୀକ୍ଷା କରିଛନ୍ତି। ମୃତବ୍ଯକ୍ତିଙ୍କ ପରିବାରକୁ ୨ ଲକ୍ଷ ଓ ଆହତ ବ୍ଯକ୍ତିଙ୍କ ପରିବାରକୁ ୫୦ ହଜାର ଲେଖାଏ ଟଙ୍କା ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି।  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାକୁ ନେଇ ଶୋକବ୍ଯକ୍ତ କରିଛନନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ବି ଏହି ଘଟଣାକୁ ନେଇ ଶୋକବ୍ଯକ୍ତ କରିଛନ୍ତି।  ଏହି ଘଟଣା ପରେ ଶୋକପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମୃତକଙ୍କ ପରିବାରକୁ ସେ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ଯ କାମନା କରିଛନ୍ତି।