ହାଥ୍‌ରସ୍ ଗଣଦୁଷ୍କର୍ମ ମାମଲା: ଆହ୍ଲାବାଦ ହାଇକୋର୍ଟରେ ଶୁଣାଣି ପାଇଁ କଡ଼ା ସୁରକ୍ଷାରେ ଲକ୍ଷ୍ନୌ ଗଲେ ପୀଡ଼ିତାଙ୍କ ପରିବାର

1 min read

ଲକ୍ଷ୍ନୌ: ହାଥରସ୍ ମାମଲା ନେଇ ଆଜି ଆହ୍ଲାବାଦ ହାଇକୋର୍ଟରେ ଶୁଣାଣି ହେବ। ପୀଡିତାଙ୍କ ପରିବାରର ପାଞ୍ଚଜଣ ସଦସ୍ୟଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଲକ୍ଷ୍ନୌକୁ ନିଆଯାଇଛି । ଗଣଦୁଷ୍କର୍ମ ପରେ ପୀଡିତାଙ୍କ ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗର ଆଜି ଶୁଣାଣି ହେବ । ପୁରା ପରିବାର କୋର୍ଟରେ ଉପସ୍ଥିତ ରହିବେ । ଗତ ମାସ ସେପ୍ଟେମ୍ବର ୧୪ତାରିଖରେ ହାଥରସରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯିବା ସହ ତାଙ୍କ ଜିଭ କାଟି ଦିଆଯାଇଥିଲା। ପରେ ସ୍ଥିତି ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ଅଣାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତ ୨୯ ତାରିଖରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ବିରୋଧୀ ସରକାରଙ୍କୁ ପ୍ରବଳ ଟାର୍ଗେଟ କରିଥିଲେ  । ଦେଶ ସାରା ବିରୋଧ ପ୍ରଦର୍ଶନ ହୋଇଥିଲା  । ପରେ ରାଜ୍ୟ ସରକାର ଏସଆଇଟି ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ  ।

 ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଅପରାହ୍ନ ୨:୩୦ରୁ ଶୁଣାଣି ଆରମ୍ଭ ହେବ। ଲକ୍ଷ୍ନୌ ଯିବା ପାଇଁ ପୋଲିସ ଟିମ୍ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ନେବା ପାଇଁ ବୁଲଗଡୀ ଗ୍ରାମରେ ପହଞ୍ଚିଥିଲେ। ପ୍ରଥମେ ପରିବାରକୁ ରବିବାର ରାତିରେ ନିଆଯିବାକୁ ପ୍ରସ୍ତୁତି କରାଯାଇଥିଲା । କିନ୍ତୁ ରାତିରେ ଯିବାକୁ ମନା କରିବା ପରେ ସେମାନଙ୍କୁ ସକାଳେ ଲକ୍ଷ୍ନୌ ନିଆଯାଇଛି । ପୋଲିସର ବିଳମ୍ବ ପରେ ସୁରକ୍ଷା କାରଣ ଦର୍ଶାଇ ପୀଡିତାଙ୍କ ପରିବାର ରାତିରେ ଲକ୍ଷ୍ନୌ ଯିବାକୁ ମନା କରିଦେଇଥିଲେ। ଗତ ୧ ତାରିଖରେ ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଥିଲେ । ହାଇକୋର୍ଟଙ୍କ ଦାଖଲ ପରେ ପୀଡ଼ିତାଙ୍କ ପରିବାରକୁ ଯୋଗୀ ସରକାର ସୁରକ୍ଷା ଯୋଗାଇ ଦେଇଥିଲେ । ପରିବାର ସଦସ୍ୟଙ୍କ ସୁରକ୍ଷାରେ ୬୦ ଜଣ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ଘରକୁ ଯାଆସ କରୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି ।

ଏହି ପୂରା ମାମଲା ନେଇ ସିବିଆଇ ମାମଲା ରୁଜୁ କରିଛି । ଏଥିସହ ସିବିଆଇ ଏହି ମାମଲାରେ ତଦନ୍ତ ଆରମ୍ଭ କରିସାରିଛି। ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣାରେ ଆଜି ସିବିଆଇ ତଦନ୍ତର ଦ୍ୱିତୀୟ ଦିନ। ମାମଲାରେ ତଦନ୍ତ ପାଇଁ ଉତ୍ତରପ୍ରଦେଶରେ ପହଁଚିଛି ସିବିଆଇ ଟିମ୍। ଉତ୍ତରପ୍ରଦେଶ ସରକାରଙ୍କ ଅନୁରୋଧ କ୍ରମେ ସିବିଆଇ ଏହି ମାମଲା ରୁଜୁ କରିଛି । ଏଥିପାଇଁ ଏକ ଦଳ ଗଠନ କରାଯାଇଛି । ଗାଜିଆବାଦ ସିବିଆଇ ୟୁନିଟରେ ପୋଷ୍ଟ ହୋଇଥିବା ଡିଏସପି ସୀମା ପାହୁଜା ଏହି ମାମଲାର ତଦନ୍ତ କରୁଛନ୍ତି ।

Leave a Reply