ହାଥରସ ଅଘଟଣର ପୁରା କାହାଣୀ, ଜାଣନ୍ତୁ କେମିତି ଏବଂ କାହିଁକି ଘଟିଲା ଏତେ ବଡ଼ ବିଭ୍ରାଟ

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶରେ ସତସଙ୍ଗବେଳେ ଅଘଟଣ ଘଟଣା ସାରା ଦେଶରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସମୟକ୍ରମେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଶେଷ ଖବର ସୁଦ୍ଧା ୧୨୧ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ତେବେ ୧୫ ଜଣରୁ ଅଧିକ ଜଣ ଗୁରୁତରଭାବେ ଆହତ ମଧ୍ୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଏଠାରେ ସତସଙ୍ଗ ପାଇଁ କିଏ ଅନୁମତି ଦେଲା ? ଏତେ ସଂଖ୍ୟକ ଲୋକଙ୍କ ସମାଗମ ହେଉଥିବାବେଳେ ପ୍ରଶାସନ ପକ୍ଷରୁ କାହିଁକି କୌଣସି ବ୍ୟବସ୍ଥା ହୋଇନଥିଲା ଏହାକୁ ନେଇ ପ୍ରଶ୍ନ ଉଠିଛି । ସେପଟେ ଅପରାଧିକ ମାମଲା ରୁଜୁ ହୋଇଥିବାବେଳେ ବାବା ଭାଲେଙ୍କ ନାମରେ କୌଣସି ମାମଲା ରୁଜୁ ହୋଇନାହିଁ । ଯାହାଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା ତାଙ୍କ ନାମରେ କୌଣସି ମାମଲା ରୁଜୁ ହୋଇନଥିବା ସୂଚନା ମିଳିଛି । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ କଥା ।

୨ ଜୁଲାଇରେ ହାଥରସରେ ଜଗତଗୁରୁ ସାକାର ବିଶ୍ବହରି ଭାଲେ ବାବାଙ୍କ ସତସଙ୍ଗ ଅନୁଷ୍ଠିତ ହେବା ପାଇଁ ପ୍ରସ୍ତାବ ରହିଥିଲା । ଏହି ସତସଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ୮୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଆୟୋଜକମାନେ କହିଥିଲେ । ଏହି ହିସାବରେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ମାତ୍ର ରାଜ୍ୟର କୋଣ ଅନୁକୋଣରୁ ପାଖାପାଖି ଅଢ଼େଇ ଲକ୍ଷ ଲୋକଙ୍କ ଭିଡ଼ ଜମିଥିଲା । ବାବାଙ୍କ ପ୍ରବଚନ ପରେ ସେ କାରରେ ବସି ଚାଲିଯାଇଥିଲେ । ଏହାପରେ ଶ୍ରଦ୍ଧାଳୁମାନେ ସେ ଆସିଥିବା ରାସ୍ତାରୁ ଧୂଳି ଆଣି ମୁଣ୍ଡରେ ମାରିବାକୁ ଲାଗିଥିଲେ । ଏହାପରେ ଶ୍ରଦ୍ଧାଳୁମାନେ ଭିଡ଼ ଜମାଇ ଧୂଳି ମୁଣ୍ଡରେ ମାରୁଥିବାବେଳେ ଆୟୋଜକ ପ୍ରଶାସନ ପକ୍ଷରୁ ନିୟନ୍ତ୍ରଣ କରିଥିଲେ । ମାତ୍ର ଏତେ ମାତ୍ରାରେ ଷ୍ଟାମ୍ପେଡ ହୋଇଥିଲା କି ଲୋକେ କଷ୍ଟରେ ବାହାରିବାକୁ ଲାଗିଥିଲେ । କାଦୁଅଭରା ବିଲ ଦେଇ ଦେଇ ଲୋକେ ଯିବାକୁ ଲାଗିଥିଲେ । ନିଜ ନିଜର ଜୀବନ ବଞ୍ଚାଇ ଗହଳିରେ ଯିବାକୁ ଲାଗିଥିବାବେଳେ ଦଳ ଚକଟାରେ ଶିଶୁ ଏବଂ ମହିଳାଙ୍କ ଜୀବନ ଚାଲି ଯାଇଛି । ଜଣେ ଅନ୍ୟ ଜଣଙ୍କୁ ବଞ୍ଚାଇବାକୁ ଯାଇ ଦଳା ଚକଟା ମଧ୍ୟରେ ପ୍ରାଣ ହରାଇଥିବା ମଧ୍ୟ କୁହାଯାଉଛି । ତେବେ ଏହି ଘଟଣାକୁ ନେଇ ଏବେ ସାରା ଦେଶରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି ।