ତରବରିଆ ଗିରଫ ଠାରୁ ଜାମିନ ମିଳିବାରେ ସମସ୍ୟା ପର୍ଯ୍ୟନ୍ତ ପ୍ରକ୍ରିୟା ଦଣ୍ଡ ସଦୃଶ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଦେଶରେ ଅପରାଧ ବଢ଼ିବା ସହ ସେଗୁଡିକର ଶୁଣାଣିରେ ମଧ୍ୟ ବିଳମ୍ବ ହେବାରେ ଲାଗିଛି । ଏବେବି ଅନେକ ମାମଲା ବିଚାରଧୀନ ରହିଛି । ଏହାକୁ ନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନଭି ରମନ୍ନା ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଦେଶର ୧୩୭୮ଜେଲରେ ୬.୧୦ ଲକ୍ଷ କଏଦୀଙ୍କ ମଧ୍ୟରୁ ପ୍ରାୟ ୮୦ପ୍ରତିଶତ ବିଚାରଧୀନ କଏଦୀ ରହିଛନ୍ତି । ଜୟପୁରରେ ଆୟୋଜିତ ଅଲ ଇଣ୍ଡିଆ ଲିଗାଲ ସର୍ଭିସେଜର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହି କଥା କହିଛନ୍ତି ପ୍ରଧାନ ବିଚାରପତି ।  ବିନା ବିଚାର କରି ଗିରଫ କରିବା କାରଣରୁ ବିଚାରଧୀନ ମାମଲା ସଂଖ୍ୟା ବୃଦ୍ଧି ପାଉଛି । ତରବରିଆ ଗିରଫ ଓ ବେଲ୍ ପାଇବାରେ ସମସ୍ୟା କଏଦୀଙ୍କ ପାଇଁ ଦଣ୍ଡ ସଦୃଶ  ।

ସେ କହିଛନ୍ତି, ଭେଦଭାବପୂର୍ଣ୍ଣ ଗିରଫଠାରୁ ଆରମ୍ଭ କରି ଜାମିନ ପାଇବା ପର୍ଯ୍ୟନ୍ତ ଏବଂ ବିଚାରଧୀନ ବନ୍ଦୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜେଲରେ ବନ୍ଦ ରଖିବା ସମସ୍ୟା ଉପରେ ଯଥାଶୀଘ୍ର ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଦେଶର ଅପରାଧିକ ନ୍ୟାୟ ପ୍ରଣାଳୀର ପ୍ରଶାସନିକ ଦକ୍ଷତାକୁ ବଢାଇବାର ଆବଶ୍ୟକତା ରହିଛି । ଅପରାଧିକ ନ୍ୟାୟ ପ୍ରଣାଳୀରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ଏକ ଦଣ୍ଡ ସଦୃଶ ଅଟେ । ବିନା କୌଣସି ମକଦ୍ଦମାରେ ଦୀର୍ଘ ସମୟ ହେବ ଜେଲରେ ବନ୍ଦ ଥିବା କଏଦୀଙ୍କ ସଂଖ୍ୟା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । କେବଳ ବିଚାରଧୀନ କଏଦୀଙ୍କୁ ଶୀଘ୍ର ମୁକୁଳାଇବାକୁ ସକ୍ଷମ କରିବା ପର୍ଯନ୍ତ ଲକ୍ଷ୍ୟ ସୀମିତ ନରହିବା ଆବଶ୍ୟକ । ବିନା କୌଣସି ମକଦ୍ଦମାରେ ଅଧିକ ସଂଖ୍ୟାରେ କଏଦୀ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦୀ ରହୁଛନ୍ତି  । ସେଦିଗରେ ପ୍ରଶ୍ନ ଉଠାଇବାର ଜରୁରୀ ।

ଜେଲ ବ୍ୟବସ୍ଥାରେ ମଧ୍ୟ ଆଧୁନୀକରଣ କରାଯିବା ଜରୁରୀ । ନ୍ୟାସନାଲ ଲିଗାଲ ସର୍ଭିସ ଅଥରିଟି ଜରିଆରେ ବିଚାରଧୀନ କଏଦୀମାନେ ମୁକୁଳିବା ପାଇଁ ଯୋଗ୍ୟ ଅଟନ୍ତି । ଯେତବେଳେ ପୋଲିସ ଗିରଫ କରୁଛି ସେ ସମୟରେ ଗିରଫ ଏକମାତ୍ର ବିକଳ୍ପ ବୋଲି ମାନୁଛି ହେଲେ ଦୁଇପକ୍ଷକୁ ସମାନ ବିଚାର କରି କାର୍ଯ୍ୟାନୁଷ୍ଠାନ ନେବା ଉଚ୍ଚିତ । ଅନେକ କଏଦୀ ବିନା କୌଣସି ଦୋଷରେ ବନ୍ଦୀ ଅଛନ୍ତି । ସେମାନେ ନିର୍ଦ୍ଦୋଶ ସାବ୍ୟସ୍ତ ହେଲା ବେଳକୁ ଦୀର୍ଘ ବର୍ଷ ବିତିଯାଉଛି । ଯାହାଫଳରେ ସେମାନଙ୍କ ମନ ଉପରେ ଏକ ନକରାତ୍ମକ ପ୍ରଭାବ ପଡୁଛି । ଅନେକ ଲୋକଙ୍କର ନ୍ୟାୟିକ ବ୍ୟବସ୍ଥା ଉପରୁ ଭରସା ତୁଟୁଛି ।

ଲୋକମାନଙ୍କ ଭରସା ହାସଲ କରିବା ଏବଂ ସେମାନଙ୍କୁ ଉଚ୍ଚିତ ନ୍ୟାୟ ଦେବା ଦିଗରେ କାର୍ଯ୍ୟ ଜାରି ଥିବା କଥା କହିଛନ୍ତି ପ୍ରଧାନ ବିଚାରପତି । ଆମେ ଧୀରେ ଧୀରେ ନ୍ୟାୟପାଳିକାରେ ସୁଧାର ଆଣିବାକୁ ଚେଷ୍ଟା କରୁଛୁ । ଏନଏଲଏସଏ ଏହାର ଏକ ଉଦାହରଣ । ଜାମିନ ଆବେଦନ ଓ ପାରୋଲ ପାଇଁ ଅନଲାଇନ ମାଧ୍ୟମରେ ବ୍ୟବସ୍ଥା କରାଯାଇଛି । ଆଶା କରାଯାଉଛି ବିଚାରଧୀନ ମାମଲା ସଂଖ୍ୟା ହ୍ରାସ ପାଇବ  ।

ଜୟପୁରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜ୍ଜୁ ମଧ୍ୟ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ଏହି ଅବସରରେ କହିଥିଲେ, ଦେଶର ସମସ୍ତ କୋର୍ଟରେ ପ୍ରାୟ ୫ କୋଟି ମାମଲା ବିଚାରଧୀନ ରହିଛି । ଏହି ମାମଲାକୁ କମ୍ କରିବା ପାଇଁ ସରକାର ଏବଂ ନ୍ୟାୟପାଳିକାକୁ ମିଶି କାମ କରିବାର ଆବଶ୍ୟକତା ରହିଛି । ସେ କହିଛନ୍ତି, ଗତକାଲି ମୁଁ ବିଭାଗୀୟ ଅଧିକାରୀଙ୍କ ସହ ଏସ୍ପର୍କରେ ଆଲୋଚନା କରିଛି । ୨କୋଟି ମାମଲା ପ୍ରତି ୨ବର୍ଷରେ କିପରି ଶେଷ କରାଯିବ ସେ ଉପରେ ଆଲୋଚନା କରିଛୁ । ସବୁ ରାଜ୍ୟ ଗସ୍ତ ସମୟରେ ସବୁବେଳେ ସରକାରଙ୍କୁ ବିଚାରଧୀନ ମାମଲାକୁ ଶେଷ କରିବା ପାଇଁ କଣ ପଦକ୍ଷେପ ନେଉଛନ୍ତି ସେ ସମ୍ପର୍କରେ ପଚାରିଥାଏ ।