ପାସ୍‌ପୋର୍ଟ ହଜିଯିବାରୁ ପାକିସ୍ତାନ ଜେଲରେ ରହିବାକୁ ପଡ଼ିଥିଲା ୧୮ ବର୍ଷ

ଔରଙ୍ଗାବାଦ: ପାକିସ୍ତାନ ଜେଲ୍‌ରେ କଟିଲା ୧୮ ବର୍ଷ । ସାମାନ୍ୟ ଭୁଲ୍ ଯୋଗୁ ୧୮ବର୍ଷ ଧରି ଭୋଗିବାକୁ ପଡ଼ିଲା ନର୍କ ଯନ୍ତ୍ରଣା । ଶେଷରେ ଔରଙ୍ଗାବାଦ ପୋଲିସର ଉଦ୍ୟମରେ ଘରକୁ ବାହୁଡ଼ିଛନ୍ତି ହସିନା ବେଗମ । ସ୍ୱାମୀଙ୍କ ସମ୍ପର୍କୀୟଙ୍କୁ ଭେଟିବାକୁ ଯାଇ ପାକିସ୍ତାନ ଜେଲରେ ଫସିଯାଇଥିଲେ ହସିନା । ପାସ୍‌ପୋର୍ଟ ହଜିଯିବାରୁ ହସିନା ଆଉ ଘରକୁ ଫେରିପାରି ନ ଥିଲେ । ଦୀର୍ଘ ୧୮ ବର୍ଷ ଧରି ତାଙ୍କୁ ପାକିସ୍ତାନ ଜେଲରେ ରହିବାକୁ ପଡ଼ିଥିଲା ।

ଗତକାଲି ନିଜ ଜନ୍ମ ମାଟିକୁ ଫେରିଛନ୍ତି ହସିନା । ଦୀର୍ଘବର୍ଷ ଧରି ନର୍କ ଯନ୍ତ୍ରଣା ଭୋଗି ଘରକୁ ଫେରିବା ପରେ ସ୍ୱର୍ଗ ଭଳି ଲାଗୁଛି ବୋଲି କହିଛନ୍ତି ହସିନା । ପାକିସ୍ତାନ ଜେଲରେ ତାଙ୍କୁ ଜବରଦସ୍ତି ରଖାଯାଇଥିଲା ବୋଲି ସେ କହିଛନ୍ତି । ନିଜ ଦେଶକୁ ଫେରାଇ ଆଣିଥିବାରୁ ଔରଙ୍ଗାବାଦ ପୋଲିସକୁ ସେ ଧନ୍ୟବାଦ ଦେଇଛନ୍ତି । ହସିନାଙ୍କ ପାକିସ୍ତାନୀ ସମ୍ପର୍କୀୟ ଖ୍ୱାଜା ଜୈନୁଦ୍ଦିନ୍ ଚିଷ୍ଟି ମଧ୍ୟ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନା ଅନୁସାରେ, ଔରଙ୍ଗାବାଦ ରସିଦାନପୁରର ହସିନା ଉତ୍ତରପ୍ରଦେଶ ସାହାରନପୁରର ଦିଲସାଦ ଅହମ୍ମଦଙ୍କୁ ବିବାହ କରିଥିଲେ । ପାକିସ୍ତାନରେ ଥିବା ସ୍ୱାମୀଙ୍କ ସମ୍ପର୍କୀୟଙ୍କୁ ଭେଟିବାକୁ ଯାଇଥିବା ବେଳେ, ଲାହୋରରେ ତାଙ୍କ ପାସପୋର୍ଟ ହଜିଯାଇଥିଲା । ସେଠାରୁ ତାଙ୍କୁ ଜବରଦସ୍ତି ଜେଲକୁ ପଠାଇ ଦିଆଯାଇଥିଲା ।

Leave a Reply