୨୮ଲକ୍ଷ ଦେଇ ପୁଅକୁ କାନାଡା ପଠାଇଥିଲେ, ୩୫ଲକ୍ଷ ଦେଇ ଶବ ଆଣିଲେ

ନନ୍ଦିଘୋଷ ବ୍ୟୁରୋ: ବୋଝ ଉପରେ ନଳିତା ବିଡା । ପୁଅ ରୋଜଗାରରେ ଚଳିବା ବୟସରେ କରଜ କରି ପୁଅର ଶବ ଆଣୁଛି ବାପା । ମେରୁଦଣ୍ଡ ଭାଙ୍ଗିଯାଇଥିଲେ ସୁଦ୍ଧା ପୁଅର ଶବକୁ ଫେରାଇଆଣିବାକୁ ବାପାର ପ୍ରଚେଷ୍ଟା । ସରକାରଙ୍କ ପାଖରେ ଗୁହାରୀ ଲଗାଇଥିଲେ ମଧ୍ୟ ଶୁଣିନଥିଲେ ସରକାର । ଶେଷରେ ବାଧ୍ୟ ହୋଇ ଧାରକରଜ କରି ପୁଅର ଶବକୁ କାନାଡାରୁ ଫେରାଇ ଆଣିବାରେ ସକ୍ଷମ ହୋଇଛି ଦୁଃଖୀ ବାପା ।

କାନ୍ଦ ବୋବାଳିରେ ଫାଟିପଡୁଛି ପରିବେଶ ।  ପୁଅର ମରଶରୀର ଘରେ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଛି ହରିୟାଣା କର୍ଣ୍ଣଲ ଅଞ୍ଚଳରେ ।  କାନାଡାରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା କର୍ଣ୍ଣାଲର ନବପ୍ରୀତଙ୍କ ମୃତଦେହ ଶୁକ୍ରବାର ତାଙ୍କ ଘରେ ପହଞ୍ଚିଛି । ଛଳଛଳ ଆଖିରେ  ପୁଅର ଚିତାରେ ମୁଖାଗ୍ନି ଦେଇଛନ୍ତି ବାପା ଗୁରୁଦେବ ।  ୧୫ ଦିନ ପୂର୍ବେ, ଜାନୁଆରୀ ୨୩ ତାରିଖରେ ନବପ୍ରୀତଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ତାଙ୍କ ପରିବାର ପାଖରେ ମୃତଦେହକୁ ଭାରତ ଆଣିବା ପାଇଁ ଟଙ୍କା ନଥିଲା। ଆର୍ଥିକ ସହାୟତା ପାଇଁ ହରିୟାଣା ସରକାରଙ୍କୁ ନିବେଦନ କରିଥିଲେ ମଧ୍ୟ ଶୁଣିନଥିଲେ ସରକାର । ତେବେ ସରକାରଙ୍କଠାରୁ ସାହାଯ୍ୟ ନ ପାଇବା ପରେ, ପରିବାର ପୁଅର ମୃତଦେହ ଫେରାଇ ଆଣିବା ପାଇଁ ୩୦ରୁ ୩୫ ଲକ୍ଷ ଟଙ୍କାର କରଜ କରିଛନ୍ତି ପରିବାର ।

୧୫ ମାସ ପୂର୍ବେ କାନାଡା ଯାଇଥିଲେ
ଗୁରୁବାର ସନ୍ଧ୍ୟାରେ ନବପ୍ରୀତଙ୍କ ମୃତଦେହ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲା, କିନ୍ତୁ କିଛି ଅସମ୍ପୂର୍ଣ୍ଣ କାଗଜପତ୍ର ଯୋଗୁଁ ପ୍ରଶାସନ ଶୁକ୍ରବାର ସକାଳେ ମୃତଦେହ ପରିବାରକୁ ହସ୍ତାନ୍ତର କରିଥିଲା। ନବପ୍ରୀତଙ୍କ ବାପା କହିଛନ୍ତି ଯେ ୧୫ ମାସ ପୂର୍ବରୁ ସେ ତାଙ୍କ ସାନ ପୁଅ ନବପ୍ରୀତଙ୍କୁ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରି କାନାଡା ପଠାଇଥିଲେ। ୨ ବର୍ଷ ପୂର୍ବେ ସେ ୫୦ ଲକ୍ଷ ଟଙ୍କା ଋଣ ନେଇ ତାଙ୍କ ବଡ଼ ପୁଅ ତରଣପ୍ରୀତଙ୍କୁ ଆମେରିକା ପଠାଇଥିଲେ । ପରେ, ଯେତେବେଳେ ସାନ ପୁଅ ଜିଦ୍ ଧରିଲା, ତାକୁ ମଧ୍ୟ କାନାଡା ପଠାଇଥିଲେ ।

ଦୁଇଟି ଟ୍ରକ୍ ମଧ୍ୟରେ ଧକ୍କା, ନବପ୍ରୀତଙ୍କର ହୋଇଥିଲା ମୃତ୍ୟୁ
ନବପ୍ରୀତଙ୍କ ବାପା ଗୁରୁଦେବ କହିଛନ୍ତି ଯେ ଜାନୁଆରୀ ୨୪ ତାରିଖରେ ତାଙ୍କ ବଡ଼ ପୁଅ ତରଣପ୍ରୀତ ତାଙ୍କୁ ତାଙ୍କ ସାନ ଭାଇର ମୃତ୍ୟୁ ବିଷୟରେ ସୂଚନା ଦେଇଥିଲେ । ନବପ୍ରୀତ କାନାଡାରେ ଟ୍ରକ୍ ଚଲାଉଥିଲେ। ନବପ୍ରୀତଙ୍କ ସହିତ ଯାଉଥିବା ଡ୍ରାଇଭର ଆମେରିକାରେ ତରଣପ୍ରୀତଙ୍କୁ ଜଣାଇଥିଲେ ଯେ କାନାଡାରେ ଦୁଇଟି ଟ୍ରକ ମଧ୍ୟରେ ଧକ୍କା ହୋଇଛି । ଯେଉଁଥିରେ ନବପ୍ରୀତଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଟ୍ରକରେ ଯାତ୍ରା କରୁଥିବା ଅନ୍ୟ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଗୁରୁଦେବ କହିଥିଲେ ଯେ ଆମେ ଆମ ପୁଅର ମୃତଦେହକୁ ଭାରତ ଆଣିବା ପାଇଁ ସରକାରଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲୁ। କିନ୍ତୁ ସରକାର ଏବଂ ପ୍ରଶାସନ କୌଣସି ସାହାଯ୍ୟ କରିନଥିଲେ। ଆମ ପୁଅର ମୃତଦେହକୁ ଭାରତ ଆଣିବା ପାଇଁ ଆମେ ୩୦ରୁ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛୁ ।