ଆଜି ବି ହରିଆଣା ନୁହରେ ବନ୍ଦ ରହିବ ଇଣ୍ଟରନେଟ ସେବା
ଚଣ୍ଡିଗଡ଼ : ହରିୟାଣାରେ ସୁଧୁରୁନି ସ୍ଥିତି । ପାରିପାର୍ଶ୍ବିକ ଅବସ୍ଥାକୁ ନଜରରେ ରଖି ଆଜି ବି ହରିଆଣା ନୁହରେ ବନ୍ଦ ରହିବ ଇଣ୍ଟରନେଟ ସେବା । ବର୍ତ୍ତମାନ ସୁଦ୍ଧା ହିଂସାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସ୍ଥିତି ଉପରେ ପୋଲିସର ରହିଛି ତୀକ୍ଷ୍ଣ ନଜର । ଶାନ୍ତିରେ ଯେପରି ବାଧା ସୃଷ୍ଟି ହେବ ନାହିଁ ସେଥିଲାଗି ମୋବାଇଲ ସେବାକୁ ବନ୍ଦ ରଖାଯାଇଛି ।
ଗତ ୫ ତାରିଖରୁ ହିଂସାକୁ ଦୃଷ୍ଟିରେ ରଖି ନୁହରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ଗତକାଲି ବୁଲଡୋଜରରାଜ ଉପରେ ହାଇକୋର୍ଟ ରୋକ୍ ଲଗାଇଥିବାବେଳେ ବନ୍ଦ ରହିଛି ଭଙ୍ଗାରୁଜା । ପ୍ରାୟ ଚାରି ଦିନ ଧରି ହିଂସାକୁ କେନ୍ଦ୍ର କରି ନୁହରେ ବୁଲଡୋଜରରାଜ୍ ଯୋଗୁ ଶହ ଶହ ଘର ମାଟିରେ ମିଶିଛି । ସ୍ଥିତିରେ ସାମାନ୍ୟ ଉନ୍ନତି ଆସିବା ପରେ ଗତକାଲି ସକାଳ ୯ଟାରୁ ୪ ଘଣ୍ଟା ଲାଗି କର୍ଫ୍ୟୁ ହଟାଯାଇଥିଲା । କର୍ଫ୍ୟୁ କୋହଳ ପରେ ଧୀରେଧୀରେ ଯାନବାହନ ଚଳାଚଳ ଆରମ୍ଭ କରିଛି । ବସ୍ ଯାତ୍ରା ବି ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ ଜୋରଦାର ଚେକିଂ ବି ଜାରି ରହିଥିବା ବେଳେ ଉତ୍ତେଜନାପ୍ରବଣ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି ।