ଘର ମାଲିକଙ୍କ ପରିବାରକୁ ଏକା ଛାଡ଼ି ୟୁକ୍ରେନରୁ ଫେରିବାକୁ ମନା କଲେ ଭାରତୀୟ ଛାତ୍ରୀ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ହଜାର ହଜାର ଭାରତୀୟ ଛାତ୍ର ୟୁକ୍ରେନର ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଉଦ୍ୟମ କରୁଛନ୍ତି । ଭାରତୀୟ ଛାତ୍ରଛାତ୍ରୀ ମଧ୍ୟ ଯଥାଶୀଘ୍ର ୟୁକ୍ରେନ ଛାଡିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ୟୁକ୍ରେନରେ ମେଡିସନ୍ ପଢ଼ୁଥିବା ହରିଆଣାର ୧୭ ବର୍ଷିୟ ଝିଅ ନେହା ଭାରତକୁ ଆସିବାକୁ ମନା କରି ଦେଇଛନ୍ତି । ଏକ ୟୁକ୍ରେନ ପରିବାର ସହ ଭଡ଼ା ଘରେ ରହୁଥିବା ନେହା, କଷ୍ଟଦାୟକ ସମୟରେ ସେହି ପରିବାର ସହ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।

ଦି ଟ୍ରିବ୍ୟୁନର ଖବର ଅନୁଯାୟୀ, ନେହା ଯେଉଁଠାରେ ଭଡ଼ା ରହୁଥିଲେ, ସେହି ଘରର ମାଲିକ ଋଷ ସହ ଚାଲିଥିବା ଯୁଦ୍ଧରେ ସ୍ୱେଚ୍ଛାକୃତ ଭାବରେ ୟୁକ୍ରେନ ସେନାରେ ଯୋଗ ଦେଇଛନ୍ତି । ଏପରି ସ୍ଥିତିରେ ନେହା ସେହି ସୈନିକଙ୍କ ତିନି ସନ୍ତାନ ଓ ପତ୍ନୀଙ୍କ ଯତ୍ନ ନେବା ପାଇଁ ଭାରତ ଫେରିବାକୁ ମନା କରିଦେଇଛନ୍ତି । ହରିୟାଣାର ଚାରଖୀ ଦାଦ୍ରିରେ ରହୁଥିବା ଜଣେ ଶିକ୍ଷକଙ୍କ ଝିଅ ନେହା ତାଙ୍କ ମା’ଙ୍କୁ କହିଛନ୍ତି ଯେ ମୁଁ ବଞ୍ଚିବି କି ନାହିଁ ଜାଣିନି,କିନ୍ତୁ  ମୁଁ ଏହି ପିଲାମାନଙ୍କୁ ଏବଂ ସେମାନଙ୍କ ମା’ଙ୍କୁ ଏପରି ପରିସ୍ଥିତିରେ ଛାଡିବି ନାହିଁ।

ନେହାଙ୍କ ବାପା ସେନାରେ ଥିଲେ । ଗତ ବର୍ଷ ନେହା ୟୁକ୍ରେନର ଏକ ମେଡିକାଲ କଲେଜରେ ନାମ ଲେଖାଇଥିଲେ । ବର୍ତ୍ତମାନ, ନେହା ସେହି ବ୍ୟକ୍ତିଙ୍କ ପତ୍ନୀ ଏବଂ ତିନି ପିଲାଙ୍କ ସହିତ ଏକ ବଙ୍କରରେ ରହୁଛନ୍ତି । ନେହା ତାଙ୍କ ଘର ଲୋକଙ୍କ ସହ କଥା ହେବାବେଳେ କହିଥିଲେ କି ଆମେ ବାହାରେ ବିସ୍ଫୋରଣର ଶବ୍ଦ ଶୁଣୁଛୁ, କିନ୍ତୁ ଏପର୍ଯ୍ୟନ୍ତ ଆମେ ଭଲରେ ଅଛୁ । ନେହା, ଏମବିବିଏସ ଛାତ୍ର ନେହା ହଷ୍ଟେଲ ପାଇ ନ ଥିବାରୁ ୟୁକ୍ରେନର ରାଜଧାନୀ କିଭରେ ଜଣେ ଇଞ୍ଜିନିୟରଙ୍କ ଘରେ ଭଡାରେ ରହୁଥିଲେ ।

ନେହାଙ୍କ ମା’ର ଘନିଷ୍ଠ ବନ୍ଧୁ ସବିତା ଜାଖର କହିଛନ୍ତି, ୟୁକ୍ରେନରେ ଯୁଦ୍ଧ ହେତୁ ନେହାଙ୍କୁ ଦେଶ ଛାଡିବାକୁ ପରାମର୍ଶ ଦିଆଯାଇଥିଲା । ନେହାଙ୍କ ମା’ ତାଙ୍କ ଝିଅ ପାଇଁ ବ୍ୟବସ୍ଥା କରିଥିଲେ । ନେହା ରୋମାନିଆକୁ ଯିବାର ସୁଯୋଗ ପାଇଲେ, କିନ୍ତୁ ସେ ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ପରିବାର ସହିତ ରହିବାକୁ ସ୍ଥିର କରିଥିଲେ ।

Leave a Reply