ଦିଲ୍ଲୀରେ ପ୍ରବେଶ ଲାଗି ୧୪ ହଜାରରୁ ଅଧିକ କୃଷକଙ୍କ ମାର୍ଚ୍ଚ

ନୂଆଦିଲ୍ଲୀ : ନ୍ୟାଯ୍ଯ ଦାବିରେ ଚାଷୀଙ୍କ ଦୁର୍ବାର ଆନ୍ଦୋଳନ। ଦିଲ୍ଲୀରେ ପ୍ରବେଶ ଲାଗି ୧୪ ହଜାରରୁ ଅଧିକ କୃଷକଙ୍କ ମାର୍ଚ୍ଚ। ରାଲିରେ ସାମିଲ ହୋଇଛନ୍ତି ୧୨ଶହରୁ ଅଧିକ ଟ୍ରାକ୍ଟର। ଚାଷୀଙ୍କ ବିଶାଳ ଆନ୍ଦୋଳନକୁ ନଜରରେ ରଖି ଦିଲ୍ଲୀ ରହିଛି ହାଇଆଲର୍ଟରେ। ସମସ୍ତ ପ୍ରବେଶ ପଥରେ ନାହିଁ ନଥିବା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଚାଷୀଙ୍କ ନିକଟରେ ଥିବା ଭାରୀ ଯାନକୁ ଜବତ ଲାଗି ପଞ୍ଜାବ ସରକାରଙ୍କୁ ଅନୁରୋଧ କରିଛନ୍ତି ହରିଆଣା ସରକାର।

ରାଜପଥରେ ରଖାଯାଇଥିବା ବ୍ଯାରିକଡକୁ ହଟାଇବା ଲାଗି ଚାଷୀମାନେ ସାଥୀରେ ଭାରୀ ଯାନ ଆଣିଥିବାରୁ ପୋଲିସ ବାହିନୀ ମଧ୍ୟରେ ପଶିଛି ଛନକା। ଚାଷୀମାନେ ନିଜ ଦାବି ସମ୍ପର୍କିତ ବ୍ଯାନର ଓ ପ୍ଲାକାର୍ଡ ଧରି ଅଭିଯାନରେ ସାମିଲ ହୋଇଛନ୍ତି। ପଞ୍ଜାବ ଓ ହରିଆଣା ସୀମାରେ ସହସ୍ରାଧିକ ଚାଷୀ ସମବେତ ହେଉଥିବା ପରିଲକ୍ଷିତ ହେଉଛି।

ଚାଷୀମାନେ ନିଜ ସାଥୀରେ ୩ଶହରୁ ଅଧିକ କାର ଓ ୧୦ଟି ମିନିବସ ବି ଆଣିଛନ୍ତି। ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ଯ ଲାଗି ଆଇନଗତ ଗ୍ଯାରେଣ୍ଟି, ସ୍ବାମୀନାଥନ କମିଶନ ସୁପାରିସ କାର୍ଯ୍ୟକାରୀ, ଚାଷୀ ଓ କୃଷି ଶ୍ରମିକଙ୍କୁ ପେନସନ, ଚାଷୀଙ୍କ ଉପରୁ ଋଣ ଛାଡ଼, ଲଖିମପୁର ଖେରି ହିଂସା ଘଟଣାରେ ପୀଡିତଙ୍କୁ ନ୍ୟାୟ ଆଦି ଦାବି ନେଇ ଚାଲିଛି ଆନ୍ଦୋଳନ। ସିଙ୍ଘୁ ଓ ଟିକିରି ସୀମାରେ ଏକାଠି ହୋଇଛନ୍ତି ଚାଷୀ।

ଏମଏସପି ଗାରେଣ୍ଟି ନେଇ କେନ୍ଦ୍ରର ଚୁକ୍ତି ପ୍ରସ୍ତାବକୁ ଚାଷୀସଂଗଠନ ପ୍ରତ୍ୟାଖାନ ପରେ ଆନ୍ଦୋଳନକୁ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି କୃଷକ ସଂଗଠନ। କୃଷକ ଆନ୍ଦୋଳନକୁ ଅଧିକ ଶକ୍ତିଶାଳୀ କରିବା ଲାଗି ଆସନ୍ତାକାଲି ଦିଲ୍ଲୀରେ ବୈଠକ ବସିବ ବୋଲି ଘୋଷଣା କରାଯାଇଛି ।