ବିଧାନସଭା ରେଜଲ୍ଟ: ଘାଟିରେ ଏନସି ଓ ହରିୟାଣାରେ ବିଜେପି

ଭୁବନେଶ୍ବର: ଜମ୍ମୁ କାଶ୍ମୀରରେ କ୍ଷମତାକୁ ଫେରିଲା ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ । ନ୍ୟାସନାଲ କନଫରେନ୍ସକୁ ୪୨ ଓ କଂଗ୍ରେସକୁ ୬ଟି ଆସନ ମିଳିଥିବା ବେଳେ ବିଜେପିକୁ ମିଳିଛି ମାତ୍ର ୨୯ଟି ଆସ ନ। ପିଡିପି ପାଇଛି ୩ ଆସନ । ଡୋଡା ଆସନ ହାତେଇ ସମସ୍ତଙ୍କୁ ଚମକାଇ ଦେଇଛି ଆମ୍ ଆଦମୀ ପାର୍ଟି । ବିଜେପିକୁ ଧାରା ୩୭୦ ଝଟକା ଲାଗିଥିବା ବେଳେ ହରିୟାଣାରେ କିନ୍ତୁ ହ୍ୟାଟ୍ରିକ କରିଛି ଦଳ । ୪୧ ଆସନରେ ବିଜୟ ସହିତ ଆଉ ୭ଟି ଆସନରେ ଆଗୁଆ ଅଛି । କଂଗ୍ରେସ ୩୭ଟି ଆସନରେ ସୀମିତ ରହିଛି । ପ୍ରାଣମୂର୍ଚ୍ଛା ଉଦ୍ୟମ ସତ୍ତ୍ଵେ ଜାମ୍ମୁ କାଶ୍ମୀରରେ ବିଜେପି ଫେଲ୍ ମାରିଥିବା ବେଳେ ହରିୟାଣାରେ କଂଗ୍ରେସର ପରାଜୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଜାତୀୟ ରାଜନୀତି ସହିତ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିବ ବୋଲି କୁହାଯାଉଛି ।

ଜାମ୍ମୁ କାଶ୍ମୀରରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସକୁ ବିପୁଳ ବିଜୟ ମିଳିଛି । ଏହି ଦୁଇ ଦଳର ମେଣ୍ଟ ସରକାର ହେବାକୁ ଯାଉଛି । ୯୦ ଆସନ ବିଶିଷ୍ଟ ବିଧାନସଭାରେ ସ୍ପଷ୍ଟ ବହୁମତ ପାଇଛନ୍ତି ଏନସି ଓ କଂଗ୍ରେସ ମେଣ୍ଟ । ବିଜୟ ପକ୍କା ହେବା ପରେ ନ୍ୟାସନାଲ କନଫରେନ୍ସର ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଛନ୍ତି ତାଙ୍କ ବାପା ଫାରୁକ ଅବଦୁଲ୍ଲା । ବିଜୟ ପାଇଁ ସେ ଜାମ୍ମୁ କାଶ୍ମୀରବାସୀଙ୍କୁ ସବୁ ଶ୍ରେୟ ଦେଇଛନ୍ତି । ବିଜେପି ଦ୍ଵିତୀୟ ସ୍ଥାନରେ ରହିଛି । ଜାମ୍ମୁ କାଶ୍ମୀରରେ ପ୍ରଥମ ଥର ଏକାକୀ ସରକାର ଗଠନ କରିବାକୁ ବିଜେପି ଯେଉଁ ସ୍ଵପ୍ନ ଦେଖିଥିଲା, ତାହା ଧୂଳିସାତ ହୋଇଛି । ଧାରା ୩୭୦ ହିଁ ଦେଇଛି ବଡ଼ ଝଟକା । ଗୋଟିଏ ବଡ଼ ଟ୍ରେଣ୍ଡ ଦେଖିବାକୁ ମିଳିଛି ଏହି ବିଧାନସଭା ନିର୍ବାଚନରେ । କାଶ୍ମୀର ଅଞ୍ଚଳରେ ନ୍ୟାସନାଲ କନଫରେନ୍ସ ବାଜି ମାରିଥିବା ବେଳେ ଜମ୍ମୁ ଅଞ୍ଚଳରେ ପୋଛି ନେଇଛି ବିଜେପି । ପିଡିପିକୁ ଲାଗିଛି ବଡ଼ ଝଟକା । ଏପରିକି ମେହବୁବା ମୁଫତିଙ୍କ ଝିଅ ମଧ୍ୟ ହାରି ଯାଇଛନ୍ତି । କିନ୍ତୁ ଲୋକେ ଉତ୍ସାହର ସହିତ ଭୋଟରେ ଭାଗ ନେଇଥିବାରୁ ଓ ସ୍ପଷ୍ଟ ମତ ଦେଇଥିବାରୁ ମେହବୁବା ଭୋଟରଙ୍କୁ ଧନ୍ୟବାଦ ଦେଇଛନ୍ତି ।

ହରିୟାଣାରେ ବାଜି ମାରିଛି ବିଜେପି । ଏହି ରାଜ୍ୟରେ ପଦ୍ମ ହ୍ୟାଟ୍ରିକ କରିଛି । ସରକାର ବିରୋଧୀ ହାୱାକୁ ଓ ଏକଜିଟ୍ ପୋଲକୁ ମାତ୍ ଦେଇ ପୁଣି ଥରେ କ୍ଷମତାକୁ ଫେରିଛି ବିଜେପି । ଦଳକୁ ମିଳିଛି ସ୍ପଷ୍ଟ ବହୁମତ । ଆଗରୁ କୁହାଯାଉଥିଲା, ହରିୟାଣାରେ କଂଗ୍ରେସ କ୍ଲିନ୍ ସୁଇପ୍ କରିବ । କିନ୍ତୁ ଦଳ ଫେଲ ମାରିଛି । ଆଶାତୀତ ସଫଳତା ହାସଲ କରି ଲଗାତର ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ବିଜେପି ।  ଦୁଷ୍ୟନ୍ତ ସିଂହଙ୍କ ଜେଜେପି ଓ ଚନ୍ଦ୍ରଶେଖର ଆଜାଦଙ୍କ ଆଜାଦ ସମାଜ ପାର୍ଟି ମଧ୍ୟରେ ହୋଇଥିବା ମେଣ୍ଟ ବି କିଛି କରିସ୍ମା ଦେଖାଇପାରିନାହିଁ । ଇଣ୍ଡିଆନ ନ୍ୟାସନାଲ ଲୋକ ଦଳର ପ୍ରଦର୍ଶନ ବି ସେତେଟା ଭଲ ହୋଇନି । ହରିୟାଣାରେ ଖାତା ଖୋଲି ପାରି ନାହିଁ ଆମ୍ ଆଦମୀ ପାର୍ଟି । କୁହାଯାଉଛି ଏହି ସବୁ ଛୋଟ ଛୋଟ ଦଳ କଂଗ୍ରେସକୁ ଘାଟାରେ ପକାଇଲେ ।

୧୦ ବର୍ଷ ପରେ ଜାମ୍ମୁ କାଶ୍ମୀରରେ ହୋଇଥିଲା ନିର୍ବାଚନ । ଆତଙ୍କବାଦୀଙ୍କ ବିନା ଭୟରେ ଏଥର ନିର୍ବାଚନ ହେବା ନିଶ୍ଚିତ ଭାବେ ଐତିହାସିକ । ହରିୟାଣା ଓ ଜାମ୍ମୁ କାଶ୍ମୀର ନିର୍ବାଚନର ଫଳାଫଳ ଜାତୀୟ ରାଜନୀତିକୁ ପ୍ରଭାବିତ କରିବ ବୋଲି କୁହାଯାଉଥିଲା । ଯଦି ବିଜେପି ହାରିଥାନ୍ତା, କେନ୍ଦ୍ର ସରକାର ଅସ୍ଥିର ହେବାର ସମ୍ଭାବନା ଥିଲା । ଧାରା ୩୭୦ ଜାମ୍ମୁ କାଶ୍ମୀରରେ ବିଜେପିକୁ ପରାଜିତ କରିଥିବା କୁହାଯାଉଥିବା ବେଳେ ହରିୟାଣାରେ କଂଗ୍ରେସର ଅନ୍ତଃକନ୍ଦଳ ଓ ଅତ୍ୟଧିକ ଆତ୍ମବିଶ୍ଵାସ ପରାଜୟର ମୁଖ୍ୟ କାରଣ ବୋଲି କୁହାଯାଉଛି । ଏହି ଦୁଇ ରାଜ୍ୟର ଫଳାଫଳ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ମଧ୍ୟ ପଡ଼ିପାରେ ।