ଖାଇବାକୁ ଦେଉ ନଥିଲେ ଆଇଏଏସ୍ ; ଆତ୍ମହତ୍ୟା କଲେ ଜେଜେବାପା- ଜେଜେମା’

ଚଣ୍ଡିଗଡ଼ :  ପୁଅମାନଙ୍କ ପାଖରେ ଅଚଳାଚଳ ସମ୍ପତ୍ତି । ଆଉ ନାତି ଆଇଏଏସ୍ ଅଧିକାରୀ । ସମ୍ପତ୍ତି ୩୦ କୋଟି ଟଙ୍କାରୁ ଅଧିକ ହେବ । ହେଲେ ଏଭଳି ଘରେ ଘଟିଛି ହୃଦୟ ବିଦାରକ ଘଟଣା । ଦିମୁଠା ଦାନା ପାଇଁ ହାତ ପତାଇବାକୁ ପଡୁଥିଲା ଏଠି । ଆଉ ସେହି ଘରେ ଦି’ ମୁଠା ଦାନା ନପାଇ ଜୀବନ ହାରିଛନ୍ତି ବୃଦ୍ଧ ଦମ୍ପତ୍ତି ।

ଏ ହେଉଛନ୍ତି ଆଇଏଏସ୍  ଅଧିକାରୀ ବିବେକ ଆର୍ଯ୍ୟଙ୍କ ଜେଜେ ବାପା ଓ ଜେଜେମାଆ । ସୁଇସାଇଡ୍ ନେଟରେ ନିଜ ଦାରୁଣ ଦୁଃଖ ବଖାଣି ସବୁଦିନ ପାଇଁ ବିଦାୟ ନେଇଯାଇଛନ୍ତି ବୃଦ୍ଧ ଦମ୍ପତି  । ଆତ୍ମହତ୍ୟା କରିଥିବା ଏହି ବୃଦ୍ଧ ଦମ୍ପତି ହେଲେ ହରିୟାଣା ଗୋପୀ ଗ୍ରାମର ଜଗଦୀଶ ଚନ୍ଦ୍ର ଆର୍ଯ୍ୟ ଏବଂ ଭାଗଲୀ ଦେବୀ । ସେମାନେ ବାଢଡାସ୍ଥିତ ନିଜ ପୁଅ ପାଖରେ ରହୁଥିଲେ । ଗତ ରାତି ପ୍ରାୟ ସାଢେ ଦୁଇଟା ବେଳେ ସେମାନେ ବୀରେନ୍ଦ୍ରଙ୍କ ବାସ ଭବନରେ ଆତ୍ମହତ୍ୟା କରିଥିଲେ ।

ହରିୟାଣାର ଚରଖୀ ଦାଦ୍ରି ସହରରେ ଘଟିଥିବା ଏହି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଏନେଇ ଏବେ ପୋଲିସ ବୃଦ୍ଧ ବୃଦ୍ଧାଙ୍କ ପୁଅ, ଦୁଇ ବୋହୂ ଓ ପୁତୁରାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଦୁଃଖ ସହି ନପାରି ବିଷପାନ କରି ଆତ୍ମହତ୍ୟା କରିଥିଲେ ଏହି ବୃଦ୍ଧ ଦମ୍ପତି । ସୁଇସାଇଡ୍ ନୋଟରେ ସେମାନେ ଲେଖିଥିଲେ କି, ଆମ ପୁଅ ମାନଙ୍କ ପାଖରେ ୩୦କୋଟି ଟଙ୍କାର ସମ୍ପତ୍ତି ଅଛି । କିନ୍ତୁ ସେମାନେ ଆମ ବୁଢାବୁଢୀଙ୍କୁ ଦିନକୁ ଦୁଇ ଓଳି ରୁଟି ଦେଲେ ନାହିଁ । ଭୋକ ଜ୍ବାଳା ଅସହ୍ୟ ହେବାରୁ ଏପରି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଉଛୁ ।