ହରିୟାଣା ପରାଜୟ ପାଇଁ କାହିଁକି ନିର୍ବାଚନ ଆୟୋଗଙ୍କୁ ଦୋଷ ଦେଉଛି କଂଗ୍ରେସ ?

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଜୋରଦାର ଝଟକା ଦେଇଛି । ଆଜି ଭୋଟ ଗଣତି ଆରମ୍ଭ ହେବା ପରେ କଂଗ୍ରେସ ଆଗୁଆ ଚାଲିଥିଲା । ହେଲେ କିଛି ଘଣ୍ଟା ପରେ ଏକ ବଡ଼ ଧରଣର ଏପାଖ ସେପାଖ ହୋଇଥିଲା ଓ ବିଜେପି ଆଗୁଆ ହୋଇଯାଇଥିଲା । ଏବେ ବିଜେପି ହରିୟାଣାରେ ହ୍ୟାଟ୍ରିକ ସରକାର ଗଢ଼ିବା ଦିଗରେ ଅଗ୍ରସର ହେଉଛି । ହେଲେ ଏପରି ପରାଜୟକୁ କଂଗ୍ରେସ ଗ୍ରହଣ କରିପାରୁନି । ଦଳ ପକ୍ଷରୁ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ହରିୟାଣା ବିଧାନସଭା ନିର୍ବାଚନ ଫଳଫଳ ଓ ଲିଡସ୍ ପ୍ରକାଶ କରିବାରେ ଡେରିକୁ ନେଇ ନିର୍ବାଚନ କମିଶନଙ୍କ ପାଖରେ ଆପତ୍ତି ରଖାଯାଇଛି । ଜମ୍ମୁ ଓ କାଶ୍ମୀର ପରି ହରିୟାଣାରେ ରେଜଲ୍ଟ ଓ ଟ୍ରେଣ୍ଡସ୍ ଶୀଘ୍ର ଅପଲୋଡ କରାଯାଉ ନଥିବା ଆମେ ଅଭିଯୋଗ କରିଛୁ ।

କ’ଣ ରହିଛି କଂଗ୍ରେସ ଅଭିଯୋଗ ?

ଜୟରାମ ରମେଶ କହିଛନ୍ତି ୧୦ ଓ ୧୧ ରାଉଣ୍ଡ ଫଳଫଳ ଅସି ସାରିଛି, ହେଲେ ଇସିଆଇଙ୍କ ସାଇଟରେ ୪ରୁ ୫ ରାଉଣ୍ଡ ଫଳାଫଳ ଅପଡେଟ ହୋଇଛି । ହରିୟାଣା ବିଧାନସଭା ନିର୍ବାଚନ ଫଳଫଳରେ ଅତ୍ୟଧିକ ଡେରି ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖାଯାଇଛି । ଜୟରାମ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି କହିଛି, ଲୋକସଭା ପରି ହରିୟାଣା ବିଧାନସଭା ଫଳଫଳର ତାଜା ଅପଡେଟ୍ ଅପଲୋଡ କରିବାରେ ଇସିଆଇ ଡେରି କରୁଛି । କ’ଣ ବିଜେପି ପୁରୁଣା ଓ ବିଭ୍ରାନ୍ତିକର ଫଳାଫଳ ପ୍ରକାଶ କରିବାକୁ ପ୍ରଶାସନ ଉପରେ ଚାପ ପକାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିପରି କଂଗ୍ରେସ ନେତା ପବନ ଖଡା ଦାବି କରିଛନ୍ତି, ଗଣତି ହୋଇଥିବା ରାଉଣ୍ଡ ଓ ଟିଭିରେ ଇସିଆଇ ମାଧ୍ୟମରେ ଦେଖାଯାଉଥିବା ରାଉଣ୍ଡର ସଂଖ୍ୟାରେ ଗୋଳମାଳ ରହିଛି । ଖଡା କହିଛନ୍ତି, ନିର୍ବାଚନ ଆୟୋଗଙ୍କ ଡାଟା ପଛରେ ଚାଲିଛି । ଏବେ ବି ସେଥିରେ ୪ କିମ୍ବା ୫ ରାଉଣ୍ଡ ଡାଟା ଦେଖାଉଛି । ହେଲେ ୧୧ ରାଉଣ୍ଡ ଗଣତି ସରିଲାଣି । ଆମ ମହାସଚିବ ଟ୍ବିଟ କରି ଆୟୋଗଙ୍କୁ ପଚାରିଛନ୍ତି, କ’ଣ ଡାଟା ଅପଲୋଡରେ ଡେରି କରି ସ୍ଥାନୀୟ ପ୍ରଶାସନ ଉପରେ ଚାପ ପକାଯାଉଛି ? ଜମ୍ମୁ ଓ କାଶ୍ମୀରରେ ପ୍ରତି ରାଉଣ୍ଡ ଗଣତି ପରେ ଲାଇଭ୍ ଡାଟାର ଅପଡେଟ ମିଳୁଥିବା ବେଳେ ହରିୟାଣାର କାହିଁକି ଦିଆଯାଉନାହିଁ ?

କଂଗ୍ରେସର ଅଭିଯୋଗର କ’ଣ ଉତ୍ତର ଦେଲା ବିଜେପି ?

ବିଜେପି ଆଇଟି ସେଲ ପ୍ରମୁଖ ଅମିତ ମାଲବିୟ କହିଛନ୍ତି, ‘ପ୍ରତିଥର ହାରିବା ପରେ କାନ୍ଦିବା କଂଗ୍ରେସର ଅଭ୍ୟାସ ହୋଇଗଲାଣି । ପୂର୍ବରୁ ସେ ଇଭିଏମକୁ ଦୋଷ ଦେଉଥିଲେ । ଏବେ ସେ ନିର୍ବାଚନ ଆୟୋଗଙ୍କ ଓ୍ବେବସାଇଟକୁ ଦୋଷ ଦେଉଛନ୍ତି । ସେମାନେ ନିଜ ଦଳର ସ୍ଥିତିକୁ କାହିଁକି ଦେଖୁନାହାନ୍ତି ।’ ଆଗକୁ ସେ କହିଛନ୍ତି, କଂଗ୍ରେସକୁ ଏହା ସ୍ବୀକାର କରିବାକୁ ପଡ଼ିବ ଯେ, ହରିୟାଣାବାସୀ ତୃତୀୟ ଥର ବିଜେପିକୁ ଭୋଟ ଦେଇଛନ୍ତି ।

ଏବେ କିଏ କେତେ ସିଟରେ ଆଗରେ ?

ଇସିଆଇ ଅନୁସାରେ ୯୦ ସିଟରୁ ବିଜେପି ୪୯ ସିଟରେ ଆଗରେ ଚାଲିଛି ଓ ଗୋଟିଏ ସିଟ ଜିତି ସାରିଛି । କଂଗ୍ରେସ ୩୪ ଆସନରେ ଆଗରେ ଚାଲିଥିବା ବେଳେ ଗୋଟିଏ ଜିତି ସାରିଛି । ସୂଚନାଯୋଗ୍ୟ ହରିୟାଣାରେ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ୪୬ ଦରକାର ।