ବାଂଲାଦେଶ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ମହିଳା ଦଳର ବଡ଼ ବିଜୟ

1 min read

ଢାକା: ଭାରତୀୟ ମହିଳା କ୍ରିକେଟ ଟିମ୍ ବାଂଲାଦେଶ ଗସ୍ତର ଅଭିଯାନ ବିଜୟରୁ ଆରମ୍ଭ କରିଛି । ଭାରତ ରବିବାର ଖେଳାଯାଇଥିବା ପ୍ରଥମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚରେ ୭ ୱିକେଟରେ ବଡ଼ ବିଜୟ ହାସଲ କରିଛି । ଏହି ମ୍ୟାଚ୍ ଢାକାର ଶେର-ଏ-ବାଂଲା ନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିଲା । ଭାରତ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଏବଂ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ବିନିମୟରେ ୧୧୪ ରନରେ ସୀମିତ ରହିଥିଲା । ସେହିପରି ଭାରତୀୟ ଦଳ ୧୬.୨ ଓଭରରେ ସହଜରେ ୩ ୱିକେଟ୍ ହରାଇ ୧୧୮ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା ।

ଭାରତ ପାଇଁ ଅଧିନାୟକ ହରମନପ୍ରୀତ କୌର (ଅପରାଜିତ ୫୮ ରନ୍) ଏବଂ ଓପନର ସ୍ମୃତି ମନ୍ଧାନା (୩୮ ରନ୍) ଚମତ୍କାର ବ୍ୟାଟିଂ କରିଥିଲେ । ୧୧୫ରନର ବିଜୟ ଲକ୍ଷ୍ୟକୁ ପିଛା କରି କ୍ରୀଜକୁ ଓହ୍ଲାଇଥିବା ଭାରତୀୟ ଦଳର ଆରମ୍ଭ ଖରାପ ରହିଥିଲା । ଓପନର ବ୍ୟାଟ୍ସମ୍ୟାନ୍ ଶେଫାଳି ବର୍ମା ପ୍ରଥମ ଓଭରରେ ହିଁ ନିଜ ୱିକେଟ୍ ହରାଇଥିଲେ । ତାଙ୍କୁ ମାରୁଫା ଅଖତର ଏଲବିଡବ୍ଲୁ କରିଥିଲେ । ସେଫାଳି ୩ଟି ବଲ୍ ଖେଳି ଖାତା ଖୋଲି ପାରିନଥିଲେ । ଜେମିମା ରୋଡ୍ରିଗ୍ସ ୧୪ ଟି ବଲରେ ୨ଟି ଚୌକା ଜରିଆରେ ୧୧ ରନ୍ ହିଁ କରିପାରିଥିଲେ ।

ଭାରତର ଦୁଇଟି ୱିକେଟ୍ ୨୧ରନରେ ପଡ଼ିଯାଇଥିଲା । ଏହାପରେ ହରମନପ୍ରୀତ ଏବଂ ସ୍ମୃତି ମନ୍ଧାନା ସ୍ଥିତି ସମ୍ଭାଳିଥିଲେ । ଉଭୟ ତୃତୀୟ ୱିକେଟ୍ ପାଇଁ ୭୦ ରନର ଭଲ ପାର୍ଟନରସିପ୍ କରିଥିଲେ । ମନ୍ଧାନାଙ୍କୁ ୧୪ତମ ଓଭରରେ ସୁଲତାନା ଷ୍ଟମ୍ପ ଆଉଟ୍ କରିଥିଲେ । ସେ ୩୪ ଟି ବଲରେ ୫ ଚୌକା ଜରିଆରେ ୩୮ ରନର ଇନିଂସ ଖେଳିଥିଲେ । ଏହାପରେ ହରମନପ୍ରୀତ ଏବଂ ୟାସ୍ତିକା ଭାଟିୟା ଦଳକୁ ଜିତାଇ ଫେରିଥିଲେ । ହରମନପ୍ରୀତ ୩୫ ଟି ବଲରେ ୬ ଚୌକା ଏବଂ ୨ ଛକା ସହାୟତାରେ ୫୮ ରନ୍ କରିଥିଲେ । ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି । ୟାସ୍ତିକା ୧୨ ଟି ବଲରେ ୯ ରନ୍ କରିଥିଲେ ।