ଯୌତୁକରେ ଫ୍ରିଜ ଓ କୁଲର ନମିଳିବାରୁ ସ୍ତ୍ରୀ ଚୁଟି କାଟଇ ଦେଲା ସ୍ବାମୀ

ନନ୍ଦିଘୋଷ ବ୍ୟୁରୋ: ଯୌତୁକରେ ମିଳିଲାନି କୁଲର ଓ ଫ୍ରିଜ୍ । ସ୍ବାମୀଙ୍କ ରାଗ ହେଲା ପଞ୍ଚମ । ଭୁଲିଗଲେ ହିତାହିତ ଜ୍ଞାନ । ସ୍ତ୍ରୀର କାଟି ଦେଲେ ଚୁଟି । ଏମିତି ଘଟଣା ଘଟିଛି ଉତ୍ତର ପ୍ରଦେଶ ହରଦୋଇ ଜିଲ୍ଲାରେ । ମହିଳା ଜଣଙ୍କ ଆଇବ୍ରୋ ବନାଇବାକୁ ବ୍ୟୁଟିପାର୍ଲର ଯାଇଥିବା ବେଳେ ଅଭିଯୁକ୍ତ ଏହି କାଣ୍ଡ ଘଟାଇଛି । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିଛି ।

ମହିଳାଙ୍କ ବାପା ରାଧାକୃଷ୍ଣ ଝିଅକୁ ଯୌତୁକ ନିର୍ଯାତନା ଦେଉଥିବା ନେଇ ତାଙ୍କ ପତି ରାମପ୍ରସାଦଙ୍କ ନାଁରେ ଥାନାରେ ଅଭିଯୋଗ କରିବା ପରେ ଘଟଣା ଜଣାପଡ଼ିଥିଲା । ରାଧାକୃଷ୍ଣ କହିଛନ୍ତି, ପ୍ରାୟ ଏକ ବର୍ଷ ହେବ ତାଙ୍କ ଝିଅର ବାହାଘର ରାମପ୍ରତାପଙ୍କ ସହ ହୋଇଛି । ବିବାହ ପରଠାରୁ ଯୌତୁକ ପାଇଁ ଶ୍ବଶୁର ଘର ଲୋକେ ଝିଅକୁ ନିର୍ଯାତନା ଦେଉଥିଲେ । ଏହାସହ ବାପଘରୁ ଫ୍ରିଜ ଓ କୁଲର ଆଣିବାକୁ ଚାପ ପକାଉଥିଲେ ।

ଅନ୍ୟପକ୍ଷେ ଘଟଣାର ଏକ ସପ୍ତାହ ପୂର୍ବରୁ ରାମକୃଷ୍ଣ ଝିଅକୁ ଘରକୁ ନେଇଥିଲେ । ବ୍ୟୁଟି ପାର୍ଊର ଯିବାକୁ ନେଇ ସବୁ କାଣ୍ଡ ଘଟିଛି । ସର୍କଲ ଅଫଇସର ରବି ପ୍ରକାଶ କହିଛନ୍ତି, ମହିଳା ଜଣଙ୍କ ବ୍ୟୁଟି ପାର୍ଲର ଯାଇଥିବା ବେଳେ ରାମପ୍ରତାପ ତିନିଜଣ ସାଥୀଙ୍କ ସହ ସେଠାରେ ପହଞ୍ଚି ପତ୍ନୀଙ୍କ ଚୁଟି କାଟି ଦେଇଥିଲେ ।

ତେବେ ସ୍ଥାନୀୟ ଲୋକେ ଭିନ୍ନ କଥା କହୁଛନ୍ତି । ସେମାନେ ରାମକୃଷ୍ଣଙ୍କ ଅଭିଯୋଗ ମିଛ ବୋଲି କହିଛନ୍ତି । ସେମାନଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ସ୍ତ୍ରୀ ବ୍ୟୁଟି ପାର୍ଲର ଯିବାକୁ ନେଇ ରାମପ୍ରତାପ ଅସନ୍ତୁଷ୍ଟ ଥିଲେ । ଏହି କାରଣରୁ ସେ ଏପରି କରିଛନ୍ତି । ବର୍ତ୍ତମାନ ମାମଲା ତଦନ୍ତ ଚାଲିଛି । ଯାଞ୍ଚ ପରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଓ ରବି ପ୍ରକାଶ କହିଛନ୍ତି ।