ହକି ବିଶ୍ୱକପରେ ଟିମ୍‌ ଇଣ୍ଡିଆକୁ ଝଟକା, ବିଶ୍ୱକପରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ସିଂ

ଭୁବନେଶ୍ୱର: ହକି ବିଶ୍ୱକପରେ ଟିମ୍‌ ଇଣ୍ଡିଆକୁ ଲଗିଛି ବଡ଼ ଝଟକା । ରବିବାର ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ କ୍ରସ୍ ଓଭର ମ୍ୟାଚ୍ । ତେବେ ଏହି ମ୍ୟାଚ୍ ପୂର୍ବରୁ ଭାରତକୁ ଲାଗିଛି ଶକ୍ତ ଝଟକା । ଆହତ କାରଣରୁ ଭାରତୀୟ ଦଳରୁ ବାଦ୍ ପଡ଼ିଛନ୍ତି ଷ୍ଟାର ମିଡ୍ ଫିଲ୍ଡର ହାର୍ଦ୍ଦିକ ସିଂ । ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ ହାର୍ଦ୍ଦିକ । ଏହା ପରେ ସେ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଓ୍ୱେଲ୍ସ ବିପକ୍ଷ ମ୍ୟାଚରେ ଖେଳିନଥିଲେ ।

ଅନ୍ୟପକ୍ଷରେ ଆହତ କାରଣରୁ ହାର୍ଦ୍ଦିକ ବାଦ୍ ପଡ଼ିବା ପରେ ତାଙ୍କ ସ୍ଥାନରେ ଦଳରେ ସାମିଲ ହୋଇଛନ୍ତି ରାଜ୍ କୁମାର ପାଲ୍ । ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗ୍ରାହମ୍ ରିଡ୍‌ କହିଛନ୍ତି କି ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ରସ୍ ଓଭର ମ୍ୟାଚରେ ହାର୍ଦ୍ଦିକ ସିଂ ଖେଳିବେ ନାହିଁ । ସେ ଚଳିତ ହକି ବିଶ୍ୱକପରୁ ବାଦ୍ ପଡ଼ିଛନ୍ତି । ସେ ଆହୁରି କହିଛନ୍ତି କି ହାର୍ଦ୍ଦିକଙ୍କ ଆଗାତ ସେତେ ଗୁରୁତର ନୁହେଁ । କିନ୍ତୁ ଆମ ପାଖରେ ସମୟ ନାହିଁ । ତେଣୁ ସବୁ ପ୍ରକାର ପ୍ରକ୍ରିୟା ଶେଷ କରିବା ପରେ ହାର୍ଦ୍ଦିକଙ୍କୁ ବାଦ୍ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି ବୋଲି ଗ୍ରାହମ୍ ରିଡ୍ କହିଛନ୍ତି ।