ବିଶ୍ୱ ବିଜେତା ବନିବା ସହିତ ହାର୍ଦ୍ଦିକଙ୍କୁ ମିଳିଲା ଆଉ ଏକ ଖୁସି ଖବର, ଆଇସିସି ଟି-ଟ୍ୱେଣ୍ଟି ରାଙ୍କିଙ୍ଗରେ ନମ୍ବର ୱାନ୍

1 min read

ନନ୍ଦିଘୋଷ ବ୍ୟୁରୋ:  ୨୦୨୪ ଆଇସିସି T-20 ବିଶ୍ବକପ ଟ୍ରଫି ହାତେଇଛି ଭାରତୀୟ କ୍ରିକେଟ ଦଳ । ଦୀର୍ଘ ଦିନରୁ ଦେଖିଥିବା ସ୍ବପ୍ନ ପୁରା ହୋଇଛି । ଚଳିତ T-20 ବିଶ୍ବକପରେ ଅନେକ ହିରୋ ସାମିଲ ରହିଥିଲେ ତନ୍ମଧ୍ୟରେ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ ଦେଖାଇ ଦଳକୁ ସବୁଠୁ ଆଗରେ ରଖିଥିବା ଖେଳାଳି ହେଉଛନ୍ତି ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପଣ୍ଡ୍ୟା। ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱର ନମ୍ୱର ୱାନ୍ T-20 ଅଲରାଉଣ୍ଡର ହୋଇଛନ୍ତି ।

T-20 ବିଶ୍ୱକପରେ ତାଙ୍କର ଚମତ୍କାର ପ୍ରଦର୍ଶନ ହେତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନମ୍ବର ୱାନ୍ ଅଲରାଉଣ୍ଡର ଭାବେ ଘୋଷଣା କରାଯାଇଛି । ଆଇସିସି ବୁଧବାର ଦିନ ନୂଆ ରାଙ୍କିଙ୍ଗ ଲିଷ୍ଟ ପ୍ରକାଶ କରିଛି । ଯେଉଁଥିରେ ହାର୍ଦ୍ଦିକ ପାଣ୍ଡ୍ୟା ଅଲରାଉଣ୍ଡର ତାଲିକାରେ ଶୀର୍ଷରେ ରହିଛନ୍ତି । କହିରଖୁଛି କି, ଏହାପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ତୃତୀୟ ସ୍ଥାନରେ ରହିଥିଲେ।  ଆଫଗାନିସ୍ତାନର ଅଲରାଉଣ୍ଡର ମୋହମ୍ମଦ ନବି ଓ ଶ୍ରୀଲଙ୍କା ଦଳର ଅଲରାଉଣ୍ଡର ୱାନେନ୍ଦୁ ହସରଙ୍ଗା ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହିଥିଲେ କିନ୍ତୁ ବିଶ୍ବକପ ମୁକାବିଲା ସରିବା ପରେ ହାର୍ଦ୍ଦିକ ଉଭୟଙ୍କୁ ପଛରେ ପକାଇ ଏବେ ଟି-ଟ୍ୱେଣ୍ଟି ଫର୍ମାଟରେ ଟପରେ ରହିଛନ୍ତି। ଏହି ଖବର ଶୁଣି କ୍ରିକେଟ ପ୍ରସଂଶକମାନେ ଉତ୍ସାହିତ ଅଛନ୍ତି ।

ବିଶ୍ବକପରେ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଦେଖିବାକୁ ଗଲେ ୮ଟି ମ୍ୟାଚରେ ୪୮ ଏଭାରେଜ ସହିତ ୧୫୦ ଷ୍ଟ୍ରାଇକ ରେଟରେ ୧୪୪ ରନ ବନାଇଛନ୍ତି । କେବଳ ଏତିକି ନୁହଁ  ୮ଟି ମ୍ୟାଚରେ ତାଙ୍କ ନାଁରେ ୧୧ଟି ୱିକେଟ ସାମିଲ ରହିଛି । ଫାଇନାଲ ମୁକାବିଲାରେ ପାଣ୍ଡ୍ୟା ୩ ଓଭରରେ ମାତ୍ର ୨୦ ରନ ଦେଇ ୩ଟି ଗୁରୁତ୍ବପୁର୍ଣ୍ଣ ୱିକେଟ ହାସଲ କରିଥିଲେ । ତାଙ୍କର ଏହି ପ୍ରଦର୍ଶନ ଦ୍ବାରା ଦୀର୍ଘ ଦିନରୁ ତାଙ୍କ ନାଁରେ ଚାଲିଥିବା କଣ୍ଟ୍ରୋଭର୍ସି ସମାପ୍ତ ହେବା ସହିତ ଆଲୋଚକଙ୍କୁ ସେ ଦେଇଛନ୍ତି କଡା ଜବାବ ।

ତଥ୍ୟ ଅନୁସାରେ, ହାର୍ଦ୍ଦିକ ପାଣ୍ଡ୍ୟା ଖୁବ ଶୀଘ୍ର ଭାରତୀୟ ଦଳର ମଧ୍ୟ ମଙ୍ଗ ସମ୍ଭାଳିପାରନ୍ତି । ରୋହିତ ଶର୍ମା ଟି-୨୦ରୁ ସନ୍ୟାସ ନେବାପରେ ଏବେ ଦଳର କ୍ୟାପଟେନ ହେବେ ହାର୍ଦ୍ଦିକ ପାଣ୍ଡ୍ୟା ।