ବଡ଼ଭାଇ ସାଜିଲେ ପ୍ରତିବନ୍ଧକ: ହାର୍ଦିକ ପାଣ୍ଡାଙ୍କ ପରିଶ୍ରମ ବୃଥା, ୧୨ ରନରେ ହାରିଲା ମୁମ୍ବାଇ
1 min read
ଆଇପିଏଲରେ ଗତକାଲି ଖେଳାଯାଇଥିବା ମ୍ୟାଚରେ ଭାଇ-ଭାଇ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଥିଲା । ମୁମ୍ବାଇ ଅଧିନାୟକଙ୍କ ବିଜୟ ପଥରୋଧ କରିଥିଲେ ବଡ଼ଭାଇ କୃନାଲ ପାଣ୍ଡ୍ୟା । ଫଳରେ ଉକ୍ତ ମ୍ୟାଚରେ ମୁମ୍ବାଇ ୧୨ ରନରେ ପଛରେ ରହିଯିବା ସହ ବେଙ୍ଗାଲୁରୁ ବାଜି ମାରିନେଇଥିଲା । ଶେଷ ଆଡ଼କୁ ବାଜି ପଲଟାଇ ଦେଇଥିଲେ କୃନାଲ । ଉକ୍ତ ମ୍ୟାଚରେ ହାର୍ଦିକ ୧୫ଟି ବଲରୁ ୨୮୦ ଷ୍ଟ୍ରାଇକ ରେଟରେ ୪୨ ରନ୍ ସଂଗ୍ରହ କରିଥିଲେ । ଏପରି ଲାଗୁଥିଲା ମୁମ୍ବାଇ ବାଜି ମାରିନେବ । ମାତ୍ର ଠିକଣା ସମୟରେ ବଡ଼ଭାଇ କମାଲ କରିବା ଫଳରେ ହାର୍ଦିକଙ୍କ ସବୁ ପରିଶ୍ରମ ବେକାର ଯାଇଥିଲା । ଏପରି ଭାବେ କ୍ରମାଗତ ଦ୍ବିତୀୟ ପରାଜୟକୁ ନେଇ ଅଧିନାୟକ ହାର୍ଦିକ ଅତ୍ୟଧିକ ମାତ୍ରାରେ ଧୈର୍ଯ୍ୟହରା ହୋଇପଡ଼ିଥିଲେ ।
୨୨୨ ରନକୁ ଚେଜ କରିବାକୁ ଯାଇ ମୁମ୍ବାଇ ୧୨ ଓଭର ପର୍ଯ୍ୟସ୍ତ ବହୁତ ପଛରେ ଚାଲୁଥିଲା । ଦଳ ୪ଟି ଓ୍ବିକେଟ ହରାଇ ମାତ୍ର ୯୯ ରନ୍ ସଂଗ୍ରହ କରିଥିଲା । ଏହାପରେ ହାର୍ଦିକ କ୍ରିଜକୁ ଆସିବା ପରେ ୧୪ତମ ଓଭରରେ ହେଜଲଉଲଙ୍କ ଓଭରରେ ୫ଟି ବଲରୁ ୨୦ ରନ୍ ସଂଗ୍ରହ କରିଥିଲେ । ୭ଟି ବଲରୁ ୩୨ ରନ୍ କରି ମୁମ୍ବାଇ ଅଧିନାୟକ ମ୍ୟାଚକୁ ନିଜ ଆଡ଼କୁ ଟାଣି ଆଣିଥିଲେ । ବଡ଼ ଭାଇଙ୍କ ବିପକ୍ଷରେ ହାର୍ଦିକ ଗୋଟିଏ ଓଭରରେ ୧୯ ରନ୍ ଠୋକିଥିଲେ । ତିଲକ ବର୍ମା ହାର୍ଦିକ ପାଣ୍ଡ୍ୟା ମିଶି ମାତ୍ର ୩୪ ରନରୁ ୮୯ ରନ୍ ସଂଗ୍ରହ କରିଥିଲେ । ଉକ୍ତ ମ୍ୟାଚରେ କୃନାଲ ୪ଟି ଓ୍ବିକେଟ ନେଇ ଆରସିବି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।