କ୍ରିକେଟରୁ ସନ୍ୟାସ ପରେ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିବେ ହରଭଜନ!

1 min read

ଚଣ୍ଡିଗଡ଼: କ୍ରିକେଟକୁ ବାଏ ବାଏ କହିଲେ ବିଶ୍ୱକପ ବିଜେତା ସ୍ପିନର ହରଭଜନ ସିଂ । କ୍ରିକେଟର ସବୁ ଫର୍ମାଟକୁ ଅଲବିଦା କହିଛନ୍ତି ହରଭଜନ । ଏନେଇ ଶୁକ୍ରବାର ଟ୍ୱିଟ କରି ସୂଚନା ଦେଇଛନ୍ତି ହରଭଜନ । ଏଥିସହ ଅନ୍ତ ହୋଇଛି ୨୩ ବର୍ଷର କ୍ରିକେଟଂ କ୍ୟାରିୟର । ଭାରତ ପକ୍ଷରୁ ହରଭଜନ ମୋଟ ୧୦୩ଟି ଟେଷ୍ଟ ମ୍ୟାଚ ଖେଳି ୪୧୭ ଓ୍ୱିକେଟ ଅକ୍ତିଆର କରିଥିବା ବେଳେ ଦିନିକିଆରେ ୨୩୬ ମ୍ୟାଚ ଖେଳି ୨୬୯ ଓ୍ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଭାବରେ ୨୮ଟି ଟି-୨୦ ମ୍ୟାଚ ଖେଳି ୨୫ ଓ୍ୱିକେଟ ଅକ୍ତିଆର କରିଛନ୍ତି ।

ଶୁକ୍ରବାର କ୍ରିକେଟରୁ ଅବସର ଗ୍ରହଣ ପରେ ହରଭଜନଙ୍କୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା । କ୍ରିକେଟ ପିଚରେ ବୋଲିଂ କରି ବ୍ୟାଟ୍ସମାନଙ୍କୁ ଘାଇଲା କରୁଥିଲେ ହରଭଜନ । କ୍ରିକେଟ ପିଚରେ ଧମାଲ କରିବା ପରେ ଏବେ ରାଜନୀତିର ପିଚରେ ବିରୋଧୀଙ୍କୁ ଘାଇଲା କରିବା ମୁଡରେ ହରଭଜନ । ହରଭଜନ ରାଜନୀତିରେ ଏଣ୍ଟ୍ରି କରିବେ ଏହି କଥା ସେହିଦିନ ଜଣା ପଡ଼ିଥିଲା ଯେଉଁଦିନ ପଞ୍ଜାବ ପ୍ରଦେଶ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ହରଭଜନଙ୍କ ସହ ଏକ ଫଟୋ ଟ୍ୱିଟରରେ ପୋଷ୍ଟ କରିଥିଲେ । ସିଦ୍ଧୁଙ୍କ ସହ ଆଲୋଚନାର ୯ ଦିନ ପରେ କ୍ରିକେଟରୁ ଅବସର ଘୋଷଣା କରି ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛନ୍ତି ହରଭଜନ ।

ଯଦିଓ ହରଭଜନ କ୍ରିକେଟରୁ ସନ୍ୟାସ ନେଇଛନ୍ତି । କିନ୍ତୁ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ସୂଚନା ଅନୁସାରେ ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ହରଭଜନ ସିଂ କଂଗ୍ରେସରେ ଯୋଗ ଦେବେ । ସେ ଜଲନ୍ଧରର ବିଧାନସଭା ଆସନରୁ କଂଗ୍ରେସରୁ ପ୍ରାର୍ଥି ହେବା ନେଇ ଆଶା କରାଯାଉଛି । ଏଥିପାଇଁ ହରଭଜନ ସିଂଙ୍କ ସହ ଆଲୋଚନା ଜାରି ରଖିଛି କଂଗ୍ରେସ । କିନ୍ତୁ ଏପର୍ଯ୍ୟନ୍ତ ସେ କେବେ କଂଗ୍ରେସରେ ଯୋଗ ଦେବେ ତାହା ସ୍ପଷ୍ଟ ହୋଇନାହିଁ ।

ଏହା ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୨୦୨୨ ପଞ୍ଜାବ ନିର୍ବାଚନରେ ଭାରତୀୟ ଜନତା ପାର୍ଟିରେ ହରଭଜନ ସିଂ ଓ ଯୁବରାଜ ସିଂ ସାମିଲ ହୋଇପାରନ୍ତି ବୋଲି ରିପୋର୍ଟ ଆସିଥିଲା । ଏହି ଦୁଇ ଜଣ ଷ୍ଟାର କ୍ରିକେଟର ଖୁବ ଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ଏହି ଖବର ପ୍ରସାରିତ ହେବା ପରେ ଏହାକୁ ଫେକ୍ ନ୍ୟୁଜ ବୋଲି କହିଥିଲେ ହରଭଜନ ସିଂ ।

 

 

 

 

Leave a Reply