କ୍ରିକେଟକୁ ଅଲବିଦା କହିଲେ ହରଭଜନ, ଅନ୍ତ ହେଲା ୨୩ ବର୍ଷର କ୍ରିକେଟ କ୍ୟାରିୟର

1 min read

ଚଣ୍ଡିଗଡ଼: କ୍ରିକେଟକୁ ଅଲବିଦା କହିଲେ ବିଶ୍ୱକପ ବିଜେତା ସ୍ପିନର ହରଭଜନ ସିଂ । ୨୩ ବର୍ଷ ଭାରତ ପାଇଁ କ୍ରିକେଟ ଖେଳିବା ପରେ ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ହରଭଜନ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ହରଭଜନ । ହରଭଜନ ହେଉଛନ୍ତି ଏମିତି ଏକ ଖେଳାଳି ଯିଏ କି ଦୁଇଟି ବିଶ୍ୱକପ ବିଜେତା ଦଳର ସଦସ୍ୟ ରହିଥିଲେ । ୨୦୦୭ରେ ପ୍ରଥମ ଥର ପାଇଁ ଖେଳାଯାଇଥିବା ଟି-୨୦ ବିଶ୍ୱକପରେ ଭାରତକୁ ବିଶ୍ୱ ବିଜେତା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ହରଭଜନ। ସେହିପରି ଭାବରେ ୨୦୧୧ ଦିନିକିଆ ବିଶ୍ୱକପରେ ହରଭଜନ ଦମଦାର ପ୍ରଦର୍ଶନ କରିଥିଲେ ।

ଟର୍ବୋନେଟର ଭାବରେ ଜଣାଶୁଣା ହରଭଜନ ସିଂ ବିଶ୍ୱର ଶ୍ରେଷ୍ଠ ଅଫ ସ୍ପିନରଙ୍କ ମଧ୍ୟରେ ଅନ୍ୟତମ । ହରଭଜନଙ୍କ ଦମଦାର ବୋଲିଂ ଫଳରେ ଟିମ୍ ଇଣ୍ଡିଆ ବହୁ ମ୍ୟାଚରେ ବିଜୟ ଲାଭ କରିଛି । ସେ ୨୦୦୧ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଇଡେନ ଗାର୍ଡେନରେ ହ୍ୟାଟ୍ରିକ ଅକ୍ତିଆର କରିଥିଲେ । ୨୦୦୦ ମସିହାରୁ ୨୦୧୦ ମସିହା ପର୍ଯ୍ୟନ୍ତ ହରଭଜନ ଅନିଲ କୁମ୍ବେଲଙ୍କ ସହ ମିଶି ଭାରତୀୟ ଦଳକୁ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଜିତିଇବାରେ ସାହାଯ୍ୟ କରିଥିଲେ।

୨୫ ମାର୍ଚ୍ଚ ୧୯୯୮ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟରେ ଡେବ୍ୟୁ କରିଥିଲେ ହରଭଜନ । ସେହିପରି ୧୭ ଏପ୍ରିଲ ୧୯୯୮ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆରେ ପଦାର୍ପଣ କରିଥିଲେ ସେ । ହରଭଜନ ମୋଟ ୧୦୩ଟି ଟେଷ୍ଟ ମ୍ୟାଚ ଖେଳି ୪୧୭ ଓ୍ୱିକେଟ ଅକ୍ତିଆର କରିଥିବା ବେଳେ ଦିନିକିଆରେ ୨୩୬ ମ୍ୟାଚ ଖେଳି ୨୬୯ ଓ୍ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଭାବରେ ୨୮ଟି ଟି-୨୦ ମ୍ୟାଚ ଖେଳି ୨୫ ଓ୍ୱିକେଟ ଅକ୍ତିଆର କରିଛନ୍ତି । ଭାରତ ପକ୍ଷରୁ ଶେଷ ଥର ପାଇଁ ହରଭଜନ ୨୦୧୬ ମସିହାରେ ୟୁଏଇ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ।

Leave a Reply