ନ୍ୟୁଜିଲାଣ୍ଡର ଆକଲାଣ୍ଡରେ ୨୦୨୫କୁ ସ୍ବାଗତ, କ୍ଲକ ଟାଓ୍ବାରରେ ଆତସବାଜି

ଆକଲାଣ୍ଡ: ୨୦୨୫କୁ ସ୍ବାଗତ ଆରମ୍ଭ ହୋଇଯାଇଛି । ଦ୍ବିତୀୟ ଦେଶ ଭାବେ  ନ୍ୟୁଜଲାଣ୍ଡର ଆକଲାଣ୍ଡ ସହରବାସୀ ନୂଆବର୍ଷକୁ ସ୍ବାଗତ କରିଛନ୍ତି । ଆକଲାଣ୍ଡର କ୍ଲକ ଟାଓ୍ବାରରୁ ଆଖି ଖୋସି ହୋଇଯିବା ପରି ଆତସବାଜି ଦେଖିବାକୁ ମିଳିଥିଲା । ଭାରତୀୟ ସମୟ ୪ଟା ୩୮ରେ ଆକଲାଣ୍ଡରେ ୨୦୨୫ରେ ନୂଆବର୍ଷ ପାଳନ କରାଯାଇଛି ।

ନୂଆବର୍ଷକୁ ସ୍ବାଗତ କରିବାକୁ ସବୁ ଦେଶର ଲୋକେ ପ୍ରସ୍ତୁତ ହୋଇ ରହିଛନ୍ତି । ଆକଲାଣ୍ଡରେ ନୂଆବର୍ଷକୁ ସ୍ବାଗତ କରାଯାଇଥିବା ବେଳେ ଅନ୍ୟ ଦେଶମାନଙ୍କରେ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି ।

କିରିଟିମାଟି ଦ୍ବୀପରେ ପ୍ରଥମ ନୂଆବର୍ଷ ପାଳନ

ଭିନ୍ନ ଭିନ୍ନ ଦେଶରେ ଟାଇମ ଜୋନ ଅଲଗା ହୋଇଥିବାରୁ ଜିରୋ ନାଇଟ୍ସ ସେଲିବ୍ରେସନ ମଧ୍ୟ ଅଲଗା ଅଲଗା ହୋଇଥାଏ । ପ୍ରଥମେ କିରିଟିମାଟି ଦ୍ବୀପ (କ୍ରିସମାସ ଦ୍ବୀପ)ରେ ନୂଆବର୍ଷ ପାଳନ ହୋଇଛି । ଏହା ଆଇଲାଣ୍ଡ କିରିବାତି ରିପବ୍ଲିକର ଏକ ଅଂଶ । ଏଠାରେ ସମୟ ଭାରତୀୟ ସମୟଠାରୁ ସାଢ଼େ ୭ ଘଣ୍ଟା ଆଗରେ । ଭାରତୀୟ ସମୟ ସାଢ଼େ ୩ଟାରେ ଏଠାରେ ନୂଆବର୍ଷ ପାଳନ କରାଯାଇଛି ।

ଭାରତ ପୂର୍ବରୁ ୪୧ ଦେଶ ପାଳନ କରନ୍ତି ନୂଆବର୍ଷ

ଭାରତୀୟ ସମୟ ରାତି ୧୨ଟାରେ ନୂଆବର୍ଷକୁ ସ୍ବାଗତ କରାଯିବ । ଏଥିପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ତେବେ ଜାଣିଛନ୍ତି କି ଭାରତ ପୂର୍ବରୁ ୪୧ ଦେଶ ନୂଆବର୍ଷ ପାଳନ କରିଥାନ୍ତି । ଅର୍ଥାତ ୪୨ ତମ ଦେଶ ଭାବେ ଭାରତ ନୂଆବର୍ଷ ପାଳନ କରିବ ।

ସମୋଆ ଓ ନିୟୁ ଦ୍ବୀପ ଶେଷରେ ପାଳନ କରନ୍ତି ନୂଆବର୍ଷ

କିରିଟିମାଟି ଦ୍ବୀପରେ ନୂଆବର୍ଷ ପାଳନର କିଛି ମିନିଟ ପରେ ନ୍ୟୁଜିଲାଣ୍ଡର ଆକଲାଣ୍ଡରେ ନୂଆବର୍ଷ ପାଳନ ହୋଇଥାଏ । ଭିନ୍ନ ଭିନ୍ନ ଦେଶରେ ଟାଇମ ଜୋନ ଅନୁସାରେ ନୂଆବର୍ଷ ପାଳନ କରାଯାଉଛି । ଏହି କ୍ରମରେ ଆମେରିକାର ସମୋଆ ଓ ନିୟୁ ଦ୍ବୀପରେ ଶେଷରେ ନୂଆବର୍ଷ ପାଳନ କରାଯିବ ।