ନନ୍ଦିଘୋଷ ବ୍ୟୁରୋ: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ୭୯ ତମ ଜନ୍ମଦିବସ। ଝଡ଼ର ଇଗଲ, ସାଢେ ଚାରିକୋଟି ଓଡ଼ିଆଙ୍କ ପ୍ରିୟ ନେତା ତଥା ଜନସେବାରେ ନିରନ୍ତର ନିଜକୁ ନିୟୋଜିତ ରଖୁଥିବା ନବୀନଙ୍କ ଜନ୍ମଦିବସ। ୧୯୪୬ ମସିହା ଆଜିର ଦିନରେ କଟକରେ ଜନ୍ମଗ୍ରହଣ କରିଥିଲେ ବିଜେଡି ସୁପ୍ରିମୋ। ନିଜର ଲୋକାଭିମୁଖୀ ଯୋଜନା, ସମାଜର ବହୁଳ ଭାଗ ଲୋକଙ୍କ ଲାଗି ଦରଦ, ରାଜ୍ୟର ପ୍ରଗତିର ଲାଗି ନିରବଚ୍ଛିନ୍ନ ସଂଗ୍ରାମ ଯୋଗୁ ସେ କ୍ରମାଗତ ପାଞ୍ଚ ଥର ଅର୍ଥାତ ୨୦୦୦ ମାର୍ଚ୍ଚ ୫ ତାରିଖରୁ ୨୦୨୪ ଜୁନ ୫ ଯାଏ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ଦେଶରେ ସୃଷ୍ଟି କରିଛନ୍ତି ଇତିହାସ। ସ୍ବାସ୍ଥ୍ୟ ହେଉ ବା ଶିକ୍ଷା, କ୍ରୀଡ଼ା ହେଉ ବା ଗ୍ରାମୀଣ ବିକାଶ, ନାରୀ ସଶକ୍ତିକରଣ ହେଉ ବା ନିଷ୍ପେସିତ ବର୍ଗର ଉତଥାନ- ସବୁ କ୍ଷେତ୍ରରେ ନବୀନ ତୁଲାଇଥିଲେ ଦାୟିତ୍ବବାନ ଇନିଂସ। କେବଳ ରାଜନୀତି ନୁହେଁ ସାହିତ୍ୟ ରଚନା କରି ବିଶ୍ବରେ ଅର୍ଜନ କରିଛନ୍ତି ଖ୍ୟାତି।
ଏସଏଚଜି ଜରିଆରେ ଲକ୍ଷ ଲକ୍ଷ ମହିଳାଙ୍କୁ ସ୍ବାବଲମ୍ବୀ କରିବା କ୍ଷେତ୍ରରେ ଦିଗଦର୍ଶକ ସାଜିଥିଲେ ନବୀନ। ନବଜାତ ହେଉ କି କିଶୋର, ଯୁବକ ହୁଅନ୍ତୁ ବା ବୟସ୍କ, ନାରୀ ହୁଅନ୍ତୁ ବା ପୁରୁଷ- ସମସ୍ତଙ୍କ ଲାଗି ଆଶାର ଆଶ୍ରା ପାଲଟିଥିଲେ ନବୀନ। ପ୍ରାକୃତିକ ବିପର୍ଯ୍ୟୟ ବିରୋଧରେ ସଫଳ ମୁକାବିଲା କରିବା ସହ ସାରା ଦେଶରେ ରୋଲ ମଡେଲ ସେ ପାଲଟିଥିଲେ। ଜାତୀୟ ରାଜନୀତିରେ ବି ସେ ରଖିଯାଇଛନ୍ତି ଓଡ଼ିଶାର ମାନ। ରାଷ୍ଟ୍ରପତି ନିର୍ବାଚନ ହେଉ କି ସଂସଦରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା- ସବୁଠି ସ୍ବତନ୍ତ୍ର ପ୍ରାଧାନ୍ୟ ପାଏ ନବୀନଙ୍କ ନୀତି । ଷ୍ଟେଟ୍ସମ୍ୟାନ ନବୀନଙ୍କ ନିଷ୍ପତ୍ତି ସବୁ ଦଳ ପାଇଁ ସର୍ବମାନ୍ୟ ସାଜି ଆସିଛି । ସଂଘୀୟ ବ୍ୟବସ୍ଥାରେ ତାଙ୍କ ଓଡ଼ିଶା ମଡ଼େଲ ବିଭିନ୍ନ ସ୍ତରରେ ହୋଇଛି ପ୍ରଶଂସିତ। ରାଜ୍ୟରେ ସ୍ଥିର ଅର୍ଥନୀତି, ଅର୍ଥନୈତିକ ଅଭିବୃଦ୍ଧି, କୃଷିର ବିକାଶ କ୍ଷେତ୍ରରେ ତାଙ୍କର ଭୂମିକା ବି ଅବିସ୍ମରଣୀୟ।…

