ବଲିଉଡ୍ ଅଭିନେତ୍ରୀ ତଥା ରାଜନେତା ଜୟା ବଚ୍ଚନଙ୍କ ଆଜି ଜନ୍ମଦିନ

ଭୁବନେଶ୍ୱର: ହିନ୍ଦୀ ଫିଲ୍ମ ଜଗତର ଜଣେ ସୁପରିଚିତ ଅଭିନେତ୍ରୀ ହେଉଛନ୍ତି ଜୟା ବଚ୍ଚନ । ଜଣେ ଅଭିନେତ୍ରୀ ଭାବେ ସେ କେବଳ ପରିଚିତ ନୁହଁନ୍ତି, ଜଣେ ସାଂସଦ ଭାବରେ ତାଙ୍କର ରହିଛି ସୁଖ୍ୟାତି । ତାଙ୍କର ପୂରାନାମ ହେଉଛି ଜୟାଭାଦୁରୀ ବଚ୍ଚନ । ଜୟାଭାଦୁରୀଙ୍କର ଜନ୍ମ ହୁଏ ୦୯ ଏପ୍ରିଲ ୧୯୪୮ ମଧ୍ୟପ୍ରଦେଶର ଜବଲପୁରରେ । ତାଙ୍କର ଫିଲ୍ମ କ୍ୟାରିଅର ଆରମ୍ଭ ହୁଏ ସତ୍ୟଜିତ ରାୟଙ୍କ ‘ମୃହାନଗର’ ନାମକ ବେଙ୍ଗଲୀ ଫିଲ୍ମରୁ । ୧୫ ବର୍ଷ ବୟସରେ ଜୟା ଅଭିନୟରେ ପାଦ ଥାପନ୍ତି

ଏହାପରେ ସେ ସତ୍ୟଜିତ ରାୟଙ୍କ  ପ୍ରେରଣା ପାଇ ଏଫ୍‌ଟିଆଇ ପୁନେରେ ଅଭିନୟ ଶିକ୍ଷା ଗ୍ରହଣ କରି ଗୋଲ୍ଡ ମେଡ଼ାଲ ସହ ଉତ୍ତୀର୍ଣ୍ଣ ହୁଅନ୍ତି । ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି  । ଫିଲ୍ମ କ୍ୟାରିଅରରେ ରଖିଛନ୍ତି ସଫଳତାର ଗୋଟିଏ ଗୋଟିଏ ପାଦ  । ୧୯୭୩ରେ ଜୱାନୀ ଦିୱାନୀ, ଅନାମିକା, ଉପହାର, ପିୟା କା ଘର, କୋଶିଶ ଆଦି ଚଳଚ୍ଚିତ୍ରରେ ତାଙ୍କର ଅଭିନୟର ଛାପ ବେଶ୍‌ ବାରି ହୋଇପଡ଼େ । ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସହ ‘ବଂଶୀ ବିରଜୁ’ଫିଲ୍ମରେ ସେ ପ୍ରଥମେ ଅଭିନୟ କରିଥିଲେ ‘ସୋଲେ’ଫିଲ୍ମରେ ଅଭିନୟ କରିବା ପୂର୍ବରୁ ସେ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ପତି ରୂପେ ଗ୍ରହଣ କରନ୍ତି । ଏହାପରେ କିଛିଦିନ ପାଇଁ ସେ ଚଳଚ୍ଚିତ୍ର ଅଭିନୟରୁ ବିରତି ନିଅନ୍ତି  । ପରେ ‘କଭି ଖୁସି କଭି ଗମ୍‌’,’କଲ ହୋ ନା ହୋ’ଆଦି ଫିଲ୍ମରେ ଚମୃତ୍କାର ଅଭିନୟ କରିଛନ୍ତି । ସେ ଜଣେ ସାଂସଦ ଭାବେ ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରି ମହିଳାମାନଙ୍କ ସମସ୍ୟା, ଦେଶର ବିଭିନ୍ନ ସମସ୍ୟା ଓ ପ୍ରସଙ୍ଗ ଉପରେ ନିଜର ଦୃଢ ମତ ରଖିଛନ୍ତି । ହିନ୍ଦୀ ଫିଲ୍ମ ଜଗତ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସମ୍ମାନ ଜଣେଇ ବିଭିନ୍ନ ଅନୁଷ୍ଠାନ ତରଫରୁ ମିଳିଛି ବହୁ ସମ୍ମାନ ଓ ସ୍ୱୀକୃତି । ଫିଲ୍ମ ଫେୟାର ଆୱାର୍ଡ, ଆଇଫା ଆୱାର୍ଡ, ଜି ସିନେ ଆଓ୍ୱାର୍ଡ ସହ ୨୦୧୭ରେ ବେଷ୍ଟ ପାର୍ଲାମେଣ୍ଟାରିଆନ ଆୱାର୍ଡ ମଧ୍ୟ ଜିତିଛନ୍ତି । ମାନନୀୟା ସାଂସଦ ତଥା ଅଭିନେତ୍ରୀ ଜୟାବଚ୍ଚନଙ୍କ ଆଜି ଶୁଭ ଜନ୍ମ ଦିନରେ ନନ୍ଦିଘୋଷ ପରିବାର ପକ୍ଷରୁ ଅଜସ୍ର ଶୁଭେଚ୍ଛା ଓ ଶୁଭକାମନା ।

Leave a Reply