ଏହି ମନ୍ଦିରରେ ହନୁମାନଙ୍କ ନାଭିରୁ ବୋହେ ଜଳ, ମିଳେ ଅନେକ ରୋଗରୁ ମୁକ୍ତି

ଭୋପାଳ: ଶ୍ରୀରାମ ଭକ୍ତ ହନୁମାନଙ୍କୁ କେହି କେହି କଳିଯୁଗର ଦେବତା କହିଥାନ୍ତି  । ସେହିପରି କଳିଯୁଗରେ କେବଳ ଜୀବିତ ଅଛନ୍ତି ବୋଲି ଅନେକ ବିଶ୍ବାସ କରନ୍ତି  । ହନୁମାନ ନିଜ ଭକ୍ତଙ୍କ ଉପରେ ଖୁବଶୀଘ୍ର ପ୍ରସନ୍ନ ହୋଇଯାଆନ୍ତି  । ଯେଉଁଥିପାଇଁ ତାଙ୍କୁ ସଙ୍କଟମୋଚନ ବି କୁହାଯାଏ  । ଭାରତରେ ଏଭଳି ଏକ ହନୁମାନ ମନ୍ଦିର ରହିଛି ଯେଉଁଠି ରୋଗରୁ ମୁକ୍ତି ପାଇଁ ପୂଜା କରାଯାଇଥାଏ  ।

ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାରେ ରହିଛି ଜାମସାଂବଲୀ ମନ୍ଦିର  । ୧୦୦ ବର୍ଷର ପୁରୁଣା ଏହି ମନ୍ଦିରରେ ପ୍ରତି ମଙ୍ଗଳବାର ଓ ଶନିବାର ଦିନ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଭିଡ ଜମାଇଥାନ୍ତି  । ଏହି ମନ୍ଦିରରେ ହନୁମାନଙ୍କ ଏକ ବିଶାଳ ମୂର୍ତ୍ତି ଅଶ୍ବସ୍ତ ଗଛ ତଳେ ବିଶ୍ରାମ ଅବସ୍ଥାରେ ରହିଛି  । ବିଶ୍ବାସ ରହିଛି ଯେ ଯେତେବେଳେ ଲକ୍ଷ୍ମଣଙ୍କ ପାଇଁ ହନୁମାନ ସଞ୍ଜିବନୀ ଆଣିବା ପାଇଁ ଯାଇଥିଲେ ସେତେବେଳେ ସେ ଏହି ଗଛ ତଳେ ବିଶ୍ରାମ ନେଇଥିଲେ  । ବିଶ୍ରାମ ନେଉଥିବା ହନୁମାନଙ୍କ ମୂର୍ତ୍ତିର ଲମ୍ବ ୧୮ ଫୁଟ ହୋଇଥିବାବେଳେ ମୁଣ୍ଡରେ ଏକ ରୂପା ମୁକୁଟ ରହିଛି  ।

ଏହି ମନ୍ଦିରରେ ହନୁମାନଙ୍କ ମୂର୍ତ୍ତି ନାଭିରୁ ଲଗାତାର ଜଳ ଧାରା ବୋହୁଥାଏ  । ଏହି ଜଳଧାରା କେଉଁଠାରୁ ଆସେ କାହାକୁ ବି ଏ ବାବଦରେ କିଛି ଜଣାନାହିଁ  । ଏଠାକୁ ଆସୁଥିବା ଭକ୍ତ ଜଳକୁ ପ୍ରସାଦ ରୂପେ ଗ୍ରହଣ କରିଥାନ୍ତି  । ହନୁମାନଙ୍କ ନାଭିରୁ ବୋହୁଥିବା ଏହି ଜଳ ତ୍ବଚା ଓ ମାନସିକ ରୋଗୀଙ୍କ ପାଇଁ ଚମତ୍କାର ସାବ୍ୟସ୍ତ ହୁଏ  । ଯେ କେହି ଏହାକୁ ପାନ କରନ୍ତି ଅସାଧ୍ୟ ରୋଗରୁ ମୁକ୍ତି ପାଆନ୍ତି ବୋଲି ବିଶ୍ବାସ ରହିଛି  ।