ଆନ୍ଧ୍ର ନା କର୍ଣ୍ଣାଟକ କେଉଁଠି ଜନ୍ମ ହୋଇଥିଲେ ହନୁମାନ?

ବେଙ୍ଗାଲୁରୁ: ତ୍ରେତୟା ଯୁଗରୁ ଆଜି ପର୍ଯ୍ୟନ୍ତ ପ୍ରଭୁ ହନୁମାନଙ୍କ ବୁଦ୍ଧି ଓ ପରାକ୍ରମକୁ ନେଇ ସବୁବେଳେ ଚର୍ଚ୍ଚା ହୋଇ ଆସୁଛି । ପୌରାଣିକ ଗ୍ରନ୍ଥରେ ସଙ୍କଟମୋଚନ ହନୁମାନଙ୍କ ଅଦ୍ଭୁତ ମହିମା ବିଷୟରେ ବର୍ଣ୍ଣନା ରହିଛି । ନିକଟରେ ଭକ୍ତଙ୍କ ଭାବାବେଗ ସହିତ ଜଡ଼ିତ ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନକୁ ନେଇ ଦକ୍ଷିଣ ଭାରତରେ ଆରମ୍ଭ ହୋଇଛି ନୂଆ ବିବାଦ । କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶ ଉଭୟ ହନୁମାନଙ୍କ ଜନ୍ମସ୍ଥଳୀକୁ ନେଇ ନିଜ ନିଜ ଦାବି ରଖିଛନ୍ତି । ଉତ୍ତର କନ୍ନଡ଼ ଜିଲ୍ଲାର ତୀର୍ଥସ୍ଥଳୀ ଗୌକର୍ଣ୍ଣରେ ମାରୁତିନନ୍ଦନଙ୍କ ଜନ୍ମ ହୋଇଥିବା ଦାବି କରିଛନ୍ତି କର୍ଣ୍ଣାଟକର ଶିବମୋଗାର ଜଣେ ଧର୍ମଗୁରୁ ।

କର୍ଣ୍ଣାଟକର ଦାବିଯେ, ହନୁମାନଙ୍କ ଜନ୍ମ କିସ୍କିନ୍ଧ୍ୟାର ଅଞ୍ଜନାନ୍ଦି ପର୍ବତରେ ହୋଇଥିଲା । ଏହି ସ୍ଥାନ କୋପ୍ପଲ ଜିଲ୍ଲାର ଅନେଗୁଣ୍ଡିରେ ଅବସ୍ଥିତ । ଅନ୍ୟପଟେ ଆନ୍ଧ୍ରପ୍ରଦେଶ ମଧ୍ୟ ହନୁମାନଙ୍କ ଜନ୍ମସ୍ଥଳୀକୁ ନେଇ ଲଗାତାର ଦାବି କରି ଆସୁଛି । ଆନ୍ଧ୍ରପ୍ରଦେଶର ଦାବି ଅନୁସାରେ ହନୁମାନଙ୍କ ଜନ୍ମଭୂମି ତିରୁପତିର ସାତଟି ପାହାଡ଼ ମଧ୍ୟରୁ ଗୋଟିଏ । ଯେଉଁ ପାହାଡ଼ ଅଞ୍ଜନାନ୍ଦ୍ରି ନାମରେ ପରିଚିତ । ସୂଚନାଯୋଗ୍ୟ ତିରୁପତି ସ୍ଥିତ ତିରୁମାଳା ମନ୍ଦିର ଭାରତର ଏକ ପ୍ରସିଦ୍ଧ ଧର୍ମପୀଠ । ତେଲୁଗୁରେ ତିରୁମାଳାର ଅର୍ଥ ସାତଟି ପାହାଡ଼ । ଏହି ସାତଟି ପାହାଡ଼କୁ ଅତିକ୍ରମ କରିବା ପରେ ତିରୁପତି ମନ୍ଦିରର ଦର୍ଶନ ମିଳିଥାଏ ।

କର୍ଣ୍ଣାଟକର ଶିବମୋଗା ସ୍ଥିତ ରାମଚନ୍ଦ୍ରପୁର ମଠର ପ୍ରମୁଖ ରାଘବେଶ୍ୱର ଭାରତୀ ରାମାୟଣ ଆଧାରରେ ହନୁମାନଙ୍କ ଜନ୍ମସ୍ଥାନକୁ ନେଇ ଦାବି କରୁଛନ୍ତି । ରାମାୟଣ ଅନୁସାରେ ଗୌକର୍ଣ୍ଣ ହନୁମାନଙ୍କ ଜନ୍ମସ୍ଥଳୀ ଏବଂ କିସ୍କିନ୍ଧ୍ୟା ତାଙ୍କ କର୍ମସ୍ଥଳୀ ବୋଲି ସେ କହିଛନ୍ତି ।

ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଉତ୍ତର କନ୍ନଡ଼ର ଗୌକର୍ଣ୍ଣ ନା ତିରୁପତିର ଅଞ୍ଜାନାନ୍ଦ୍ରି ପାହାଡ଼ କେଉଁଟି ବାସ୍ତବରେ ହନୁମାନଙ୍କ ଜନ୍ମସ୍ଥଳୀ? ଏହି ବିବାଦର ସମାଧାନ ପାଇଁ ତିରୁମାଳା ତିରୁପତି ଦେବସ୍ଥାନମର ବିଶେଷଜ୍ଞଙ୍କ ଦ୍ୱାରା ଏକ ପ୍ୟାନେଲ ଗଠନ ହୋଇଛି । ଏହି ପ୍ୟାନେଲର ବୈଦିକ ବିଶେଷଜ୍ଞ, ପ୍ରଶ୍ନତତ୍ତ୍ୱବିତ୍‌ବିଶେଷଜ୍ଞଙ୍କ ସମେତ ଇସ୍ରୋ ବୈଜ୍ଞାନିକ ମଧ୍ୟ ସାମିଲ ଅଛନ୍ତି । ଯାହାର ରିପୋର୍ଟ ୨୧ ଅପ୍ରେଲରେ ଉପସ୍ଥାପନ କରାଯିବ ।

ତିରୁମାଳା ତିରୁପତି ଦେବସ୍ଥାନମର ଦାବି ଦୃଢ?

ତିରୁପତିର ଅଞ୍ଜାନାଦ୍ରି ପାହାଡ଼କୁ ନେଇ ଟିଟିଡି ବା ତିରୁମାଳା ତିରୁପତି ଦେବସ୍ଥାନମ୍‌ଟ୍ରଷ୍ଟ ନିଜ ଦାବିକୁ ଦୃଢ ବୋଲି ଯୁକ୍ତି ବାଢିଛନ୍ତି । ଟିଟିଡି ଟ୍ରଷ୍ଟ ବୋର୍ଡ଼ର କାର୍ଯ୍ୟକାରୀ ଅଧିକାରୀ କେ.ଏସ.ଜବାହର ରେଡ୍ଡୀଙ୍କ କହିବା ଅନୁସାରେ ତାଙ୍କ ନିକଟରେ ପୌରାଣିକ ଏବଂ ପ୍ରତ୍ନତାତ୍ତ୍ୱିକ ଉଭୟକୁ ଆଧାର କରି ପ୍ରମାଣ ଅଛି ।

ରାମାୟଣକୁ ନେଇ କର୍ଣ୍ଣାଟକ ମଧ୍ୟ ଦାବି କରୁଛି……

ଅନ୍ୟପଟେ କର୍ଣ୍ଣାଟକର କିସ୍କିନ୍ଧ୍ୟାର ଅଞ୍ଜନାଦ୍ରିକୁ ନେଇ କରାଯାଉଥିବା ଦାବି ସମର୍ଥନରେ ଏକ ପ୍ରକଳ୍ପ ଉପରେ କାମ ଆରମ୍ଭ ହୋଇଛି । ରାମାୟଣ ଅନୁସାରେ ଏହି ସ୍ଥାନରେ ରାମ ଓ ଲକ୍ଷ୍ମଣଙ୍କର ପ୍ରଥମ ଥର ଅନୁମାନଙ୍କ ସହିତ ସାକ୍ଷାତ ହୋଇଥିଲା । ଏହି ସ୍ଥାନକୁ ହନୁମାନଙ୍କ ଜନ୍ମସ୍ଥଳୀ ନାମରେ ତୀର୍ଥସ୍ଥଳୀ ରୁପରେ ବିକଶିତ କରାଯିବ ବୋଲି କହିଛନ୍ତି କୋପ୍ପଲ ଜିଲ୍ଲା ମନ୍ତ୍ରୀ ବିସି ପାଟିଲ ।

Leave a Reply