ପଡୋଶୀ ଘରେ ଝିଅକୁ ଛାଡିଥିଲେ, ମିଳିଲା ଝୁଲନ୍ତା ମୃତଦେହ

ଉଦଳା: ଫୁଲ ଗଛ ପାଇଁ ନାବାଳିକାକୁ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଉଦଳା ଥାନା ଭାଲୁହୁରୁଡ଼ା ଗାଁରେ । ଗାଁର ସୀତା ହାଁସଦା ନିଜର ୧୨ ବର୍ଷର ଝିଅ ସରସ୍ବତୀ ହାଁସଦାକୁ ପଡୋଶୀଙ୍କ ଘରେ ଛାଡି ଭୁବନେଶ୍ୱର ଯାଇଥିଲେ । ଭୁବନେଶ୍ୱରରେ ନାବାଳିକା ଜଣକ ପାଠ ପଢ଼ୁଥିବା ବେଳେ ତାହାର ସାର୍ଟିଫିକେଟ ଆଣି ଉଦଳାରେ ପଢ଼ାଇବେ ବୋଲି ଝିଅକୁ ପଡୋଶୀଙ୍କ ଘରେ ଛାଡି ଯାଇଥିଲେ ।

ହେଲେ ଗତକାଲି ମଧ୍ୟାହ୍ନରେ ତାଙ୍କ ଝିଅ ବାଡିରୁ ଗେଣ୍ଡୁ ଗଛ ଚୋରି କରିଥିବା କଥା ସୀତାଙ୍କୁ ଫୋନ କରି କହିଥିଲେ ତାଙ୍କ ପଡୋଶୀ । କିନ୍ତୁ ରାତିରେ ଆସି ସୀତା ଏବଂ ତାଙ୍କ ସ୍ୱାମୀ ଘରେ ପହଂଚିବାରୁ ଘର ଦ୍ୱାର ମୁହଁ ନିକଟରେ ୧୨ ବର୍ଷର ଝିଅ ସରସ୍ବତୀର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ସରସ୍ବତୀ ବେକରେ ଏକ ଓଢଣୀ ଲଗାଇ ଝୁଲିଥିବା ବେଳେ ତାର ଶରୀରରେ ମାଡ଼ ଚିହ୍ନ ରହିଛି ।

ଗେଣ୍ଡୁ ଗଛ ଚୋରି କରିବାରୁ ପଡୋଶୀ ତାଙ୍କ ଝିଅ ସରସ୍ବତୀକୁ ନିର୍ଘାତ ମାଡ଼ ମାରି ହତ୍ୟା କରିବା ପରେ ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ମା । ଏ ନେଇ ଉଦଳା ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।