ପୁଣି ରାଜଧାନୀରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହାତରେ ପଡିଛି କଡ଼ି

ଭୁବନେଶ୍ୱର: ପୁଣି ରାଜଧାନୀ ଭୁବନେଶ୍ୱରରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନିୟୁ ଫରେଷ୍ଟ ପାର୍କ ଅଂଚଳରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ନାଁ ଜ୍ୟୋତି ରଂଜନ ସାହୁ । ଖୋର୍ଦ୍ଧା ସରପାରି ଗାଁରେ ତାଙ୍କ ଘର । ମୃତ୍ୟର କାରଣ ଅସ୍ପଷ୍ଟ ରହିଛି । ସବୁଠୁ ବଡ କଥା ହେଲା ମୃତ ଯୁବକଙ୍କ ହାତରେ ବନ୍ଧା ହୋଇଛି କଡ଼ି। ତେଣୁ କେହି ହତ୍ୟା କରିଥିବା ସନ୍ଦେହ କରୁଛନ୍ତି ପରିବାର ଲୋକ । ଜ୍ୟୋତି ଖୋର୍ଦ୍ଧା ନିରାକାରପୁର କଲେଜରେ ଯୁକ୍ତ ୩ ରେ ପାଠ ପଢ଼ୁଥିଲେ ।

ମୃତ ଶରୀରକୁ ଜବତ କରି ଏୟାରପୋର୍ଟ ଥାନା ପୋଲିସ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଏହା ପ୍ରଥମ ଘଟଣା ନୁହେଁ ଯେବେ ଭୁବନେଶ୍ୱରରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି । ନିକଟରେ ବିଜେବି କଲେଜ ଛାତ୍ରୀ ରୁଚିକା, ଏମସିଏ ଛାତ୍ରୀ ଆଶ୍ରିତା ଭଳି ଛାତ୍ରଛାତ୍ରୀ ଆତ୍ମହତ୍ୟା ଘଟଣା ଖବରର ଶୀରୋମଣ୍ଡନ କରୁଥିଲା ।

ବିଭିନ୍ନ ସମସ୍ୟା ପାଇଁ ଏମାନେ ଆତ୍ମହତ୍ୟା କରିଥିବା କଥା ମଧ୍ୟ ସୁଇସାଇଡ୍ ନୋଟରେ ଲେଖିଥିଲେ  । ତେବେ ଆଜିର ଘଟଣାରେ ପୋଲିସକୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ । ସନ୍ଦେହଜନକ ଭାବେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । କେହି ତାଙ୍କୁ ମାରି ଦେଇ ଟାଙ୍ଗି ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପୋଲିସ ମଧ୍ୟ ଘଟଣାସ୍ଥଳରେ ଛାନଭିନ କରିବା ସହ ପଡିଶା ଲୋକଙ୍କୁ ପଚରା ଉଚରା କରୁଛି  ।