୫ ଯବାନଙ୍କ ବୀରଗାଥା, ନିଜ ବଳିଦାନ ଦେଇ ବଞ୍ଚାଇଲେ ନୀରିହ ଜୀବନ

2 min read

ଶ୍ରୀନଗର: ଜାମ୍ମୁ କାଶ୍ମୀରର ହନ୍ଦଓ୍ୱାଡ଼ାରେ ଭାରତୀୟ ସେନା ପୁଣି ଥରେ ଅଦମ୍ୟ ସାହସ ଏବଂ ବୀରତ୍ୱର ଇତିହାସ ଲେଖିଛନ୍ତି । ଭୀରୁ ଆତଙ୍କବାଦୀମାନେ କିଛି ସାଧାରଣ ଲୋକଙ୍କୁ ଏକ ଘରେ ବନ୍ଦୀ କରି ରଖିଥିଲେ । ଆଉ ସେହିଠାରୁ ହିଁ ଲୁଚି ଲଚି ଯବାନଙ୍କ ଉପରକୁ ଗୁଳି ଚଳାଉଥିଲେ । କିନ୍ତୁ ଭାରତୀୟ ସେନାର ବୀର ଯବାନ ନିଜ ଜୀବନକୁ ପାଣି ଛଡ଼ାଇ ସେହି ଘର ଭିତରେ ପ୍ରବେଶ କରିଥିଲେ । ଆଉ ସାଧାରଣ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଏହି ଅପରେସନ୍‌ ସମୟରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ଏଥିରେ ୫ ଜଣ ଯବାନ ସହିଦ ହୋଇଛନ୍ତି ।

ନାଗରିକ ସୁରକ୍ଷା ପାଇଁ ଅପରେସନ୍

ହନ୍ଦଓ୍ୱାଡ଼ାର ଚାଞ୍ଜମୁଲ୍ଲା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁପ୍ତଚର ସୂଚନା ପାଇବା ପରେ ସୁରକ୍ଷା ବାହିନୀ ମିଳିତ ଅପରେସନ କରିଥିଲେ । ଏଥିରେ ସେନାର ରାଷ୍ଟ୍ରିୟ ରାଇଫଲ୍ସ ଏବଂ ଜାମ୍ମୁ କାଶ୍ମୀର ପୋଲିସ୍ କର୍ମଚାରୀମାନେ ସାମିଲ ଥିଲେ। ନାଗରିକମାନଙ୍କୁ ମୁକ୍ତ କରିବା ପାଇଁ ଆର୍ମି କର୍ଣ୍ଣେଲ ଆଶୁତୋଷ ଶର୍ମା, ମେଜର ଅନୁଜ ସୁଦ, ନାୟକ ରାଜେଶ ଏବଂ ଲାନ୍ସ ନାୟକ ଦୀନେଶ ଉକ୍ତ ଘରେ ପ୍ରବେଶ କରିଥିଲେ । ଏହି ପାଞ୍ଚ ଜଣିଆ ଦଳରେ ଜାମ୍ମୁ କାଶ୍ମୀର ପୋଲିସର ସବ-ଇନ୍ସପେକ୍ଟର ଶକିଲ କାଜୀ ମଧ୍ୟ ସାମିଲ ହୋଇଥିଲେ ।

ColonelAsutosh Sharma
Colonel Asutosh Sharma

ଟାର୍ଗେଟ ଏରିଆରେ ପଶି ଆତଙ୍କବାଦୀଙ୍କୁ ସାମ୍ନା କରିଥିଲେ

ଯବାନମାନେ ଟାର୍ଗେଟ ଏରିଆରେ ପଶି ଆତଙ୍କବାଦୀଙ୍କୁ ସାମ୍ନା କରିଥିଲେ । ଯବାନମାନେ ପ୍ରଥମେ, ବନ୍ଦୀ ନାଗରିକମାନଙ୍କୁ ଜଣ ଜଣ କରି ସୁରକ୍ଷିତ ଭାବେ ଆତଙ୍କୀଙ୍କ କବଳରୁ ଉଦ୍ଧାର କରିଥିଲେ । ପ୍ରବଳ ଗୁଳି ବିନିମୟରେ ଯବାନମାନେ ପ୍ରଥମେ ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେଇଥିଲେ । ଏହି ରେସ୍‌କ୍ୟୁ ଅପରେସନ୍‌ ସମୟରେ ସାହସୀ ଯବାନଙ୍କ ଦେହରେ ଅନେକ ଗୁଳି ବାଜିଛି । ସେମାନେ ଗୁରୁତର ଆହତ ହୋଇଥିଲେ । ଏହି ସାହସୀମାନଙ୍କ ମଧ୍ୟରୁ କର୍ଣ୍ଣେଲ ଆଶୁତୋଷ ପୂର୍ବରୁ କାଶ୍ମୀରରେ ଅନେକ ଆତଙ୍କବାଦୀ ବିରୋଧୀ ଅଭିଯାନରେ ନିଜର ସାହସିକତା ପ୍ରଦର୍ଶନ କରିସାରିଛନ୍ତି । ସେ ଦୁଇଥର ଗାଲାଣ୍ଟ୍ରି ପଦକ ମଧ୍ୟ ପାଇଛନ୍ତି । ତାଙ୍କୁ କାଶ୍ମୀର ଉପତ୍ୟକାରେ ପୋଷ୍ଟ କରାଯାଇଥିବା ବେଷ୍ଟ କମାଣ୍ଡିଂ ଅଫିସରଙ୍କ ମଧ୍ୟରେ ଗଣାଯାଉଛି । ତେବେ ଏହି ଅପରେସନ୍‌ରେ ଭାରତୀୟ ଯବାନଙ୍କ ଗୁଳିରେ ଦୁଇ ଜଣ ଆତଙ୍କୀ ନିହତ ହୋଇଛନ୍ତି ।

ପ୍ରତିଶୋଧରେ ଦୁଇ ଆତଙ୍କୀ ନିହତ

ଭାରତୀୟ ସେନା ଅଧୀକାରୀଙ୍କ କହିବାନୁଯାୟୀ, ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବାକୁ ଯାଇ ଯବାନମାନେ ଆତଙ୍କୀଙ୍କ ଗୁଳିରେ ଘରା ବନ୍ଦି ହୋଇଗଲେ । ଏହି ସମୟରେ ଦୁଇ ଆତଙ୍କବାଦୀ ମଧ୍ୟ ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି । ଏହାସହ ଅପରେସନରେ ଯଡ଼ିତ ଥିବା ଦୁଇ ସେନା ଅଧିକାରୀ, ଦୁଇ ଜଣ ଯବାନ ଏବଂ ଜାମ୍ମୁ କାଶ୍ମୀର ପୋଲିସର ଜଣେ ଏସ୍‌ଆଇ ସହିଦ ହୋଇଛନ୍ତି ।

https://twitter.com/RegnlTelegraph/status/1256815326106390528

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଶ୍ରଦ୍ଧାଞ୍ଜଳି

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ୍ ଯୋଗେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ କହିଛନ୍ତି, ‘ଅପରେସନ୍ ସମୟରେ ସହିଦ ଯବାନଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସେମାନଙ୍କ ପରିବାର ସହ ମୋର ସମବେଦନା ସବୁବେଳେ ରହିଛି । ଏହି ସାହସୀ ସହିଦମାନଙ୍କ ପରିବାର ସହିତ ଦେଶ କାନ୍ଧରେ କାନ୍ଧ ମିଳାଇ ଛିଡା ହୋଇଛି ଆତଙ୍କବାଦୀଙ୍କ ବିରୋଧୀ ଯୁଦ୍ଧରେ ସେ ଅଦମ୍ୟ ବୀରତ୍ୱ ପ୍ରଦର୍ଶନ କରିଛନ୍ତି । ତାଙ୍କର ସର୍ବୋଚ୍ଚ ବଳିଦାନ ଏବଂ ସାହସକୁ ମୁ କେବେବି ଭୁଲି ପାରିବୁ ନାହିଁ ।’

ଶନିବାର ଆସିଥିଲା ଯବାନଙ୍କ ନିଖୋଜ ଖବର

ସେନା ସୂତ୍ରରୁ ଶନିବାର କୁହାଯାଇଥିଲା ଯେ ପାଞ୍ଚ ଜଣ ସୁରକ୍ଷା କର୍ମୀ ନିଖୋଜ ଅଛନ୍ତି । ନିଖୋଜ ଥିବା ପାଞ୍ଚ ଜଣଙ୍କ ମଧ୍ୟରେ ଦୁଇଜଣ ସେନା ଅଧିକାରୀ ମଧ୍ୟ ଅଛନ୍ତି । ଏହାସହ କୁହାଯାଇଥିଲା ଯେ, ଆତଙ୍କୀ ବିରୋଧୀ ଅପରେସନ୍‌ ବେଳେ, ଯେଉଁ ଘରେ ଆତଙ୍କବାଦୀ ଲୁଚି ରହିଥିଲେ, ସେହି ଘର ଭିତରକୁ ଯବାନମାନେ ଯିବା ପରେ ତାଙ୍କ ସହ ସମ୍ପର୍କ ଛିନ୍ନ ହୋଇଥିଲା ।

Leave a Reply