ହାଣ୍ଡିଭଙ୍ଗା ପର୍ବ ପାଇଁ ଉତ୍ସବମୁଖର ରାମଚଣ୍ଡୀ ପୀଠ

କୋଣାର୍କ: ଉତ୍ସବମୁଖର କୋଣାର୍କର ରାମଚଣ୍ଡୀ ପୀଠ । ଧର୍ମ ମାସର ଶେଷ ଗୁରୁବାରରେ ଭକ୍ତିମୟ ପରିବେଶ । ମାଆ ରାମଚଣ୍ଡୀଙ୍କ ନିକଟରେ ହାଣ୍ଡିଭଙ୍ଗା ଉତ୍ସବ । ଦେବୀ ରାମଚଣ୍ଡୀଙ୍କ ପୀଠରେ ହାଣ୍ଡିଭଙ୍ଗା ପର୍ବ ପାଳନ ହୋଇଛି । ମାନସିକଧାରୀ ମହିଳାମାନେ ବ୍ରତ ରଖି ଭକ୍ତି ସହକାରେ ଓଷା ପାଳନ କରିଛନ୍ତି । ଗୁରୁବାର ଭୋରୁ ମାଆଙ୍କ ମଙ୍ଗଳ ଆଳିତ ପରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା । ପରେ ପରମ୍ପରା ଅନୁଯାୟୀ, ମାଆଙ୍କ ରୋଷ ଘରୁ ନିଆଁ ଆଣି ମାଟି ହାଣ୍ଡିରେ ଖେଚୁଡ଼ି ଭୋଗ ପ୍ରସ୍ତୁତ କରିଥିଲେ ମାନସିକଧାରୀ । ଗୋଟିଏ ଭାଗ ଖାଇବା ପରେ ବାଡିଆ ବନ୍ତରେ ପ୍ରସାଦ ହାଣ୍ଡିକୁ ଭାଙ୍ଗି ବ୍ରତ ଭାଙ୍ଗିଛନ୍ତି ମାନସିକଧାରୀ ।

ପରମ୍ପରା ଅନୁଯାୟୀ ଏହି ଓଷା ପାଳନ ହେଉଛି । ପିତୃ ପୁରଷ ଓ ପରିବାରର ମଙ୍ଗଳକାମନା ଉଦ୍ଦେଶ୍ୟରେ ମହିଳାମାନେ ବ୍ରତପାଳନ କରିଥାନ୍ତି । ହାଣ୍ଡିଭଙ୍ଗା ଯାତ୍ରାରେ ଦେବୀ ରାମଚଣ୍ଡୀ ସ୍ବତନ୍ତ୍ର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଶ୍ରଦ୍ଧାଳୁମାନେ ମାଆଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି । ମହାମାରୀ କରୋନା ପାଇଁ ୨ ବର୍ଷ ହେଲା ବନ୍ଦ ଥିଲା ଏହି ପର୍ବ । କଟକଣା କୋହଳ ହେବା ପରେ ଓଷା ପାଳନ ହୋଇଛି ।