ହାନ ଦୁ ସୁ ହେଲେ ଦକ୍ଷିଣ କୋରିଆର କାମଚଳା ରାଷ୍ଟ୍ରପତି
ନୂଆଦିଲ୍ଲୀ: ଦକ୍ଷିଣ କୋରିଆର କାମଚଳା ରାଷ୍ଟ୍ରପତି ହେଲେ ହାନ ଦୁ ସୁ । ଶନିବାର ରାଷ୍ଟ୍ରପତି ୟୁନ ସୁକ୍ ୟୋଲଙ୍କୁ ମହାଭିଯୋଗ ପ୍ରସ୍ତାବ କ୍ରମେ ବହିଷ୍କାର କରାଯିବା ପରେ ନୂଆ ଦାୟିତ୍ବ ନେଇଛନ୍ତି ହାନ୍ । ସାମୟିକ ମାର୍ଶଲ ଆଇନ କାର୍ଯ୍ୟକାରୀ କରାଯିବାକୁ ନେଇ ୟୁନଙ୍କ ବିରୋଧରେ ତାତିଥିଲେ ଦେଶବାସୀ ।
ଆଣବିକ କ୍ଷମତା ସମ୍ପନ୍ନ ଉତ୍ତର କୋରିଆର ବାରମ୍ବାର ଧମକ, ଦେଶରେ ଚାରି ଦଶନ୍ଧି ଧରି ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ଯରେ ଦକ୍ଷିଣ କୋରିଆର ନେତୃତ୍ବ ପରିବର୍ତ୍ତନକୁ ନେଇ ଅନେକ ସସପେନ୍ସ ଲାଗି ରହିଛି । ସେପଟେ ମାର୍ଶଲ ଆଇନକୁ ନେଇ ୟୁନଙ୍କ ବିରୋଧରେ ଅପରାଧିକ ତଦନ୍ତ ହେବ ବୋଲି ସୂଚନା ମିଳିଛି । ନୂଆ ରାଷ୍ଟ୍ରପତି ହାନ ତିନି ଦଶନ୍ଧି ଧରି ପାଞ୍ଚ ଜଣ ରାଷ୍ଟ୍ରପତିଙ୍କ ଅଧୀନରେ କାର୍ଯ୍ୟ କରିବାର ଅଭିଜ୍ଞତା ହାସଲ କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ୟୁନଙ୍କ ବିପକ୍ଷରେ କୋର୍ଟ ରାୟ ନଆସିବା ଯାଏଁ ଦେଶରେ ନିର୍ବାଚନ ସମ୍ଭାବନା ନାହିଁ । ଯଦି ମହାଭିଯୋଗ ପ୍ରସ୍ତାବକୁ କୋର୍ଟ ମଞ୍ଜୁର କରନ୍ତି, ତେବେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ହେବ ।
ଗତ ଡିସେମ୍ବର ୩ ତାରିଖରେ ଦେଶରେ ମାର୍ଶଲ ଆଇନ କାର୍ଯ୍ୟକାରୀ କରି ୟୁନ ବିବାଦକୁ ଆସିଥିଲେ । ସାମୟିକ ମାର୍ଶଲ ଆଇନକୁ ନେଇ ଦେଶରେ ସୃଷ୍ଟି ହୋଇଥିଲା ଅସ୍ଥିରତା । ଦେଶବ୍ଯାପୀ ଆନ୍ଦୋଳନ ତେଜିବାରେ ଲାଗିଥିଲା । ମାର୍ଶଲ ଆଇନକୁ ନେଇ ସୃଷ୍ଟି ହୋଇଥିଲା ସାମ୍ବିଧାନିକ ସଙ୍କଟ । ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ମତ ଦେଇଥିଲେ ୨୦୪ ସାଂସଦ । ଏପରିକି ୟୁନଙ୍କୁ ନିଜ ଦଳର ନେତାମାନେ ମଧ୍ୟ ସମର୍ଥନ ଦେଇ ନଥିଲେ ।