କେଉଁଠୁ ଅସ୍ତ୍ରଶସ୍ତ୍ର ଆଣେ ହମାସ?

1 min read

ନନ୍ଦିଘୋଷ ବ୍ୟୁରୋ: ଭୟଙ୍କର ହେଉଛି ଇସ୍ରାଏଲ-ହମାସ ବିବାଦ । ଗତ ଶନିବାରଠାରୁ ଇସ୍ରାଏଲ- ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଇସ୍ରାଏଲ ଉପରେ ଆତଙ୍କବାଦୀ ସଂଗଠନ ହମାସ ଜଳ, ସ୍ଥଳ ଓ ଆକାଶ ପଥରୁ ଆକ୍ରମଣ କରୁଛି । ଗାଜାରୁ ଇସ୍ରାଏଲ ଉପରେ ୫ ହଜାରରୁ ଅଧିକ ରକେଟ୍, ଗୁଳି ଚଳାଇଥିଲା ହମାସ । ଏହାର ଜବାବ ଦେଇ ଇସ୍ରାଏଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ହମାସକୁ ଯୁଦ୍ଧରେ ସାହାର୍ଯ୍ୟ କରୁଛି ରକେଟ୍, ଡ୍ରୋନ୍ ଏବଂ ଗ୍ଲାଇଡର୍ ପରି ଅସ୍ତ୍ରଶସ୍ତ୍ର । କିନ୍ତୁ ଏସବୁ ଅସ୍ତ୍ରଗୁଡିକ ହମାସ ପାଖକୁ ଆସିଲା କିପରି ? କିଏ ଯୋଗାଇଛି ଅସ୍ତ୍ରଶସ୍ତ୍ର? ଏଭଳି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଠିଥାଏ । ତେବେ ଆସନ୍ତୁ ଜାଣିବା ଇସ୍ରାଏଲ-ହମାସ ବିବାଦକୁ ଅନେକ ଗୁରୁତ୍ବପୂର୍ଣ୍ଣ କଥା ।

କେଉଁ ରାସ୍ତା ଦେଇ ହମସାକୁ ପହଞ୍ଚୁଛି ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର

ଇସ୍ରାଏଲ-ପାଲେଷ୍ଟାଇନରେ ଯୁଦ୍ଧ ଆରମ୍ଭ ହୋଇସାରିଛି । ଇସ୍ରାଏଲର ଅଭେଦ୍ୟ ସୁରକ୍ଷାବଳୟକୁ ପାର କରି ହମାସର ଏହି ଆକ୍ରମଣ ସାରା ବିଶ୍ବକୁ ଚକିତ କରିଛି । ଯଦି ଆମେ ପୁରା ଯୁଦ୍ଧକୁ ଦେଖିବା, ତେବେ ହମାସ ଇସ୍ରାଏଲର ଦକ୍ଷିଣ ଏବଂ ମଧ୍ୟ ଭାଗକୁ ଟାର୍ଗେଟ କରିଛି । ସୈନ୍ୟ କ୍ୟାମ୍ପ ଉପରେ ଆକ୍ରମଣ କରି ଇସ୍ରାଏଲକୁ ଦୁର୍ବଳ କରିଦେଇଛି । ଏହି ଆକ୍ରମଣ ହଠାତ୍ ହୋଇନାହିଁ । ଏହା ପଛରେ ହମାସ ଦ୍ୱାରା ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି ।

ଏମିତି ଆରମ୍ଭ ହୋଇଥିଲା ଯୁଦ୍ଧ 

ସବୁଠାରୁ ବଡ ପରିବର୍ତ୍ତନ ୨୦୦୫ ମସିହାରେ ଇସ୍ରାଏଲ ଗାଜା ଠାରୁ ଅଲଗା ହେବା ପରେ ହୋଇଥିଲା । ସେବେଠାରୁ ହମାସକୁ ଇରାନ ଏବଂ ସିରିଆର ସାହାଯ୍ୟ ମିଳିବା ଆରମ୍ଭ ହୋଇଥିଲା। ଏହାପରେ ହମାସ୍ ଏକ ଗୁପ୍ତ ମାର୍ଗ ବିକଶିତ କଲା ଯାହା ମାଧ୍ୟମରେ ସେ ଅସ୍ତ୍ର ପାଇପାରିବ।  ୨୦୦୭ ମସିହାରେ ଇସ୍ରାଏଲର ନିଷେଧାଦେଶ ସତ୍ତ୍ୱେ ସୁଦାନରୁ Fajr-5 ରକେଟର ସାମଗ୍ରୀ ଗୁପ୍ତ ମାର୍ଗ ଦେଇ ହମାସକୁ ପଠାଇବାରେ ସଫଳ ହୋଇଥିଲା। ଏଭଳି ଭାବରେ ଧୀରେ ଧୀରେ ହମାସର ଅସ୍ତ୍ରଶସ୍ତ୍ର ବଢିବାକୁ ଲାଗିଲା ।

ହମାସ ଅସ୍ତ୍ରଶସ୍ତ୍ର ଆମଦାନୀ କରିବା ପାଇଁ ଗୁପ୍ତ ଟନେଲ ଏବଂ ସମୁଦ୍ର ମାର୍ଗକୁ ବାଛିଥିଲା । ହମାସ୍ ସମୁଦ୍ର ମାର୍ଗ ଦେଇ ଅସ୍ତ୍ରଶସ୍ତ୍ର ମଗାଏ । ଏହି ଅସ୍ତ୍ରଗୁଡିକ କ୍ୟାପସୁଲରେ ପ୍ୟାକ୍ ହୋଇ ଗାଜା ଉପକୂଳକୁ ଆସିଥାଏ। ସବୁଠାରୁ ବଡ କଥା ହେଉଛି ଯେ, ଅସ୍ତ୍ରଗୁଡିକ ଇସ୍ରାଏଲ ନୌସେନାଙ୍କୁ ଚକମା ଦେଇ ଗାଜାରେ ପହଞ୍ଚିଥାଏ ।

ଏହା ବ୍ୟତୀତ  ଅସ୍ତ୍ରଶସ୍ତ୍ର ପାଇଁ ହମାସ୍ ଅନ୍ୟ ଏକ ମାର୍ଗ ମଧ୍ୟ ବ୍ୟବହାର କରେ । ଯାହାକୁ ଗୁପ୍ତ ଟନେଲ୍ କୁହାଯାଏ। ଏହା ମଧ୍ୟ ୨୦୦୫ ପରେ ଆରମ୍ଭ ହୋଇଥିଲା । ଇଜିପ୍ଟ-ଗାଜା ସୀମା ଅନ୍ତର୍ଗତ ଏକ ଗୁପ୍ତ ଟନେଲ ନେଟୱାର୍କ ମାଧ୍ୟମରେ ହମାସ୍ ଇରାନ ଏବଂ ସିରିଆ ସହିତ ଏକ ଗୁପ୍ତ ଯୋଗାଣ ମାର୍ଗ ସୃଷ୍ଟି କରିଥିଲା । ଏହା ଏକ ସୁରକ୍ଷିତ ମାର୍ଗ ବୋଲି ପ୍ରମାଣିତ ହୋଇଛି । ଅନେକ ଆନ୍ତର୍ଜାତୀୟ ସଂଗଠନର ଉଦ୍ୟମ ସତ୍ତ୍ୱେ ମଧ୍ୟ ହମାସର ଏହି ଗୁପ୍ତ ଟନେଲ ପର୍ଯ୍ୟନ୍ତ କେହି ପହଞ୍ଚି ପାରିନାହାନ୍ତି ।

କେଉଁଠାରୁ ଆସେ ଅସ୍ତ୍ରଶସ୍ତ୍ର ?

ହମାସ୍ ଇରାନ ଏବଂ ସିରିଆ ସହିତ ମିଶି କାର୍ଯ୍ୟ କରିଥାଏ । ଏହି ଦେଶରେ ଥିବା  ଆତଙ୍କବାଦୀ ସଂଗଠନ ହମାସକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଅନ୍ତି। ହମାସ୍ ଅନ୍ୟ ଦେଶରୁ Fajr-3, Fajr-5 ଏବଂ M302 ରକେଟ କିଣିଥାଏ । ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ପ୍ରକାରର ଅସ୍ତ୍ର କିଣି ହମାସ ଶକ୍ତିଶାଳୀ ଆତଙ୍କବାଦୀ ସଂଗଠନ ହୋଇପାରିଛି। ରିପୋର୍ଟ ଅନୁଯାୟୀ, ଡ୍ରୋନ୍ ଆକ୍ରମଣଠାରୁ ଆରମ୍ଭ କରି ରକେଟ୍ ଆକ୍ରମଣ ପର୍ଯ୍ୟନ୍ତ ସବୁକିଛି ପାଇଁ ହମାସ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି। ହମାସ ପାଖରେ କୌଣସି ଅସ୍ତ୍ରଶସ୍ତ୍ରର ଅଭାବ ନାହିଁ ।