Bihar: ଇମାମଗଞ୍ଜରେ ବାଜିଲା ଟେଲିଫୋନ୍, ହସନପୁରରେ ଜଳିଲା ଲଣ୍ଠନ
1 min read
ପାଟଣା: ବିହାର ନିର୍ବାଚନରେ ଏନଡିଏ ଓ ମହାମେଣ୍ଟ ମଧ୍ୟରେ କଡ଼ା ଟକ୍କର ଚାଲିଛି । କଡ଼ା ମୁକାବିଲା ଭିତରେ କିଛି ହେଭିୱେଟ୍ ନିର୍ବାଚନ ଜିତିଛନ୍ତି । ଇମାମଗଞ୍ଜ ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ହିନ୍ଦୁସ୍ଥାନୀ ଆୱାମ ମୋର୍ଚ୍ଚାର ମୁଖ୍ୟ ଜିତନ ରାମ ମାଞ୍ଝୀ ବିଜୟ ଲାଭ କରିଛନ୍ତି । ଆରଜେଡି ପ୍ରାର୍ଥୀ ଉଦୟ ନାରାୟଣ ଚୌଧୁରୀଙ୍କୁ ହରାଇ ଜିତିଛନ୍ତି ଜିତନ ରାମ ମାଞ୍ଝୀ । ୧୬ ହଜାର ୩୪ ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଜିତନ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମଙ୍କ ଦଳ (HAM) ରାଜ୍ୟରେ ଏନଡିଏ ସହ ମେଣ୍ଟ କରିଛି । ୧୯୮୦ରୁ ଏକାଧିକ ଥର ଜିତନ ବିଜୟ ଲାଭ କରିଛନ୍ତି ।
ଅନ୍ୟପଟେ ହସନପୁର ଆସନରୁ ବିଜୟ ଲାଭ କରିଛନ୍ତି ଲାଲୁ ନନ୍ଦନ । ଆରଜେଡି ଅଧ୍ୟକ୍ଷ ଲାଲୁ ଯାଦବଙ୍କ ବଡ଼ ପୁଅ ହସନପୁର ଆସନରୁ ଜିତିଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରାଜ କୁମାର ରାୟଙ୍କୁ ୨୧ ହଜାର ୧୩୯ ଭୋଟରେ ହରାଇଛନ୍ତି । ତେଜ ପ୍ରତାପଙ୍କୁ ୮୦ ହଜାର ୯୯୧ ଭୋଟ୍ ମିଳିଛି । ଜେଡିୟୁର ରାଜ କୁମାରଙ୍କୁ ୫୯ ହଜାର ୮୫୨ ଭୋଟ୍ ମିଳିଛି ।
ବିହାର ବିଧାନସଭା ନିର୍ବାଚନରେ ଏନଡିଏ ଓ ମହାମେଣ୍ଟ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ରାତି ୯ଟା ସୁଦ୍ଧା ଏନଡିଏ ୧୨୩ଟି ସିଟରେ ଆଗୁଆ ଥିବାବେଳେ ମହାମେଣ୍ଟ ୧୧୩ଟି ଆସନରେ ଆଗୁଆ ରହିଛି । ବିହାରରେ ବହୁମତ ହେଉଛି ୧୨୨ ।