ଅପରେସନ୍ ଅଧାରେ ରୋଗୀକୁ ଅପରେସନ୍‌ ଟେବୁଲରେ ଛାଡ଼ି ଚାଲିଗଲେ ଡାକ୍ତର

ବାଲେଶ୍ୱର: ଅପରେସନ୍ ଅଧାରେ ରୋଗୀକୁ ଅପରେସନ୍‌ ଟେବୁଲରେ ଛାଡ଼ି ଚାଲିଗଲେ ଡ଼ାକ୍ତର । ବାଲେଶ୍ବର ଆଇଟିଆଇ ଛକରେ ଥିବା ଏକ ଘରୋଇ ନର୍ସିଂହୋମ୍‌ ବିରୁଦ୍ଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଘଟଣା ଅନୁଯାଇ କୁରୁଡ଼ାର ଗୀତାଞ୍ଜଳୀ ବିଶ୍ବାଳଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ପୂର୍ବତନ ସିଡ଼ିଏମ୍‌ଓ ଡ଼ାକ୍ତର ଅନୁପ କୁମାର ଘୋଷଙ୍କ କ୍ଲିନିକ୍‌ରେ ଭର୍ତ୍ତି କରାଯାଇଥିଲା । ତୁରନ୍ତ ଗୀତାଞ୍ଜଳୀଙ୍କ ୟୁଟେରସ୍ ବାହାର କରିବାକୁ ପରାମର୍ଶ ଦେଇଥିଲେ ଡ଼ାକ୍ତର । ଡ଼ାକ୍ତରଙ୍କ ପରାମର୍ଶ ଅନୁସାରେ ଗୀତାଞ୍ଜଳୀଙ୍କ ସ୍ବାମୀ ରଞ୍ଜନ ବିଶ୍ବାଳ ଗତକାଲି ସ୍ଥାନୀୟ ଜୟଶ୍ରୀ ହେଲଥ କେୟାରରେ ଆଡମିସନ କରିଥିଲେ ।

ଆଜି ଡ଼ାକ୍ତର ଅନୁପ ଘୋଷ, ଗୀତାଞ୍ଜଳୀଙ୍କ ଅସ୍ତ୍ରୋପଚାର କରୁଥିବାବେଳେ ପେଟରେ ଅଧିକ ସମସ୍ୟା ଥିବା ଦେଖିବାକୁ ପାଇଥିଲେ । ଫଳରେ ଅପରେସନ୍‌କୁ ଅଧାରୁ ବନ୍ଦ କରିଦେଇ କାଟିଥିବା ପେଟରେ ପୁଣି ସିଲେଇ ପକାଇ ପଳାଇ ଯାଇଥିଲେ । ତେବେ ଆସନ୍ତାକାଲି ଯଦି ନର୍ସିଂହୋମ୍‌ ତରଫରୁ ସମସ୍ୟାର ସମାଧାନ କରାନଯାଏ ତେବେ ଥାନାରେ ଲିଖିତ ଅଭିଯୋଗ କରିବେବୋଲି କହିଛନ୍ତି ଗୀତାଞ୍ଜଳୀଙ୍କ ସ୍ବାମୀ । ସେପଟେ ରୋଗୀଙ୍କର ସମସ୍ୟାର ସମାଧାନର ବାଟ ଏଠାରେ ନଥିବାରୁ ତାଙ୍କୁ ଡ଼ାକ୍ତର ରେଫର ପାଇଁ ପରାମର୍ଶ ଦେଇଥିବା ନର୍ସିଂହୋମ୍‌ ତରଫରୁ କୁହାଯାଇଛି ।